ପୂର୍ବତନ ବିଧାୟକ ଅନାମ ନାଏକଙ୍କୁ ଜେରା କରିବ ଇଡି

ଭୁବନେଶ୍ୱର, ୭ା୩ (ବ୍ୟୁରୋ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିବା ଭବାନୀପାଟଣାର ପୂର୍ବତନ ବିଧାୟକ ଅନାମ ନାଏକଙ୍କୁ ମନି ଲଣ୍ଡରିଂ ମାମଲାରେ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଜେରା କରିବ। ଅନାମଙ୍କ ନାମରେ ସମୁଦାୟ କେତେ ଟଙ୍କାର ସମ୍ପତ୍ତି ରହିଛି, ଏଥିରୁ ସେ କେତେ ଆୟ କରିଛନ୍ତି ଏବଂ କେତେ ଆୟ ବହିର୍ଭୂତ ସେନେଇ ଖୋଳତାଡ଼ କରାଯିବ। ଏଥିଲାଗି ଇଡି ଅଫିସରେ ହାଜର ହେବା ପାଇଁ ତାଙ୍କୁ ଖୁବ୍‌ ଶୀଘ୍ର ନୋଟିସ କରାଯିବ ବୋଲି ଜଣାପଡ଼ିିଛି।  ଗତ ଜାନୟାରୀ ୧୭ତାରିଖରେ ଅନାମଙ୍କ ଭବାନୀପାଟଣା ସହରସ୍ଥ ନାକଟିଗୁଡା ବାସଭବନ, ପୁରୁଣାପଡ଼ା ଛକ ନିକଟ ନିର୍ମାଣାଧୀନ ଲଜ୍‌ ଓ ମଦନପୁର-ରାମପୁରସ୍ଥିତ ହୋଟେଲ ଉପରେ ଭିଜିଲାନ୍ସର ତିନିଟି ଟିମ୍‌ ଏକକାଳୀନ ଚଢାଉ କରିଥିଲେ। ଯାଞ୍ଚ ବେଳେ ମୋଟ୍‌ ୩କୋଟି ୪୨ ଲକ୍ଷ ୯୯ହଜାର ୪୦୨ ଟଙ୍କାର ସ୍ଥାବର ଅସ୍ଥାବର ସମ୍ପତ୍ତି ଠାବ କରାଯାଇଥିଲା। ଏତଦ୍‌ବ୍ୟତୀତ ତାଙ୍କ ଘରୁ ୮୦ ହଜାର ଟଙ୍କାର ସୁନାଗହଣା, ନଗଦ ୧୩ ହଜାର ୬୮୦ ଟଙ୍କା, ୬ ଲକ୍ଷ ୨୧ହଜାର ୩୭୭ ଟଙ୍କାର ଗୃହ ଉପକରଣ ମଧ୍ୟ ଭିଜିଲାନ୍ସ ଠାବ କରିଥିଲା। ଏହି ସମ୍ପତ୍ତିଗୁଡ଼ିକର ହିସାବ ଓ ତଦନ୍ତ ବେଳେ ୧ କୋଟି ୫୪ ଲକ୍ଷ ୧୨ହଜାର ୨୬୦ ଟଙ୍କାର ସମ୍ପତ୍ତି ଆୟ ବହିର୍ଭୂତ ବୋଲି ଭିଜିଲାନ୍ସ ଜାଣିବାକୁ ପାଇବା ପରେ ଅନାମଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ୧୯୮୫ ଜାନୁୟାରୀରେ ରାଜସ୍ବ ବିଭାଗରେ ଅନାମ କନିଷ୍ଠ କିରାଣି ଭାବେ ଯୋଗଦେଇଥିଲେ। ଚାକିରିରୁ ସ୍ବେଚ୍ଛାକୃତ ଅବସର ନେଇ ପରବର୍ତ୍ତୀ ସମୟରେ ସେ ରାଜନୀତିରେ ଯୋଗଦେଇଥିଲେ। ୨୦୧୪ରୁ ୨୦୧୯ ମସିହା ପର୍ଯ୍ୟନ୍ତ ସେ ଭବାନୀପାଟଣା ନିର୍ବାଚନ ମଣ୍ଡଳୀର ବିଧାୟକ ରହିଥିଲେ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ସେ କିଛିଦିନ ତଳେ ଜାମିନରେ ଆସି ଘରେ ରହିଛନ୍ତି।

Share