Categories: ବାଣିଜ୍ୟ

ପୂର୍ବତନ ଭୂଷଣ ସିଏମ୍‌ଡିଙ୍କ ୨୦୦ କୋଟିର ସମ୍ପତ୍ତି ଜବତ

ନୂଆଦିଲ୍ଲୀ,୧୯-୧: ଭୂଷଣ ପାଓ୍ବାର ଆଣ୍ଡ ଷ୍ଟିଲ ଲିମିଟେଡର ପୂର୍ବତନ ସିଏମ୍‌ଡି ସଞ୍ଜୟ ସିଂଘଲଙ୍କ ୨୦୦ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ସମ୍ପତ୍ତି ଜବତ କରାଯାଇଛି। ବେଆଇନ ଅର୍ଥ କାରବାର ନିରୋଧି ଆଇନ ଅନୁସାରେ ଦିଲ୍ଲୀ ଏବଂ ଲଣ୍ଡନସ୍ଥିତ ସମ୍ପତ୍ତି ଜବତ ହୋଇଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ସୂଚନା ରହିଛି। ଜବତ ହୋଇଥିବା ସମ୍ପତ୍ତି ମଧ୍ୟରେ ଉଭୟ ସ୍ଥାବର ଏବଂ ଅସ୍ଥାବର ସମ୍ପତ୍ତି ରହିଛି। କମ୍ପାନୀ ନାମରେ ବ୍ୟାଙ୍କରୁ ଋଣ ନେଇ ଏହାକୁ ବିଦେଶର ବିଭିନ୍ନ ସ୍ଥାନରେ ସମ୍ପତ୍ତି କିଣିବାରେ ସିଂଘଲ ବ୍ୟବହାର କରିଛନ୍ତି ବୋଲି ଅଭିଯୋଗ ଆସିଛି। ଇଡି ସିଂଘଲଙ୍କ ନାମରେ ଶୁକ୍ରବାର ଚାର୍ଜଶିଟ ଫାଇଲ କରିଛି। ଚାର୍ଜଶିଟରେ ୨୪ ଜଣଙ୍କ ନାମ ଉଲ୍ଲେଖ କରାଯାଇଛି। ଗତବର୍ଷ ଜାନୁୟାରିରେ ସିଂଘଲଙ୍କ ନାମରେ କୋର୍ଟ ପ୍ରଡକସନ ଓ୍ବାରେଣ୍ଟ ଜାରି କରିଥିଲେ।
ନଭେମ୍ବରରେ ଇଡି ତାଙ୍କୁ ଗିରଫ କରିଥିବା ବେଳେ ସେ ବର୍ତ୍ତମାନ ବିଚାର ବିଭାଗୀୟ ହାଜତରେ ଅଛନ୍ତି। ୨୦୦୭ରୁ ୨୦୧୪ ମଧ୍ୟରେ ୩୩ ବ୍ୟାଙ୍କ ଏବଂ ବିତ୍ତ ପ୍ରତିଷ୍ଠାନରୁ ଋଣ ନେଇ ଏହାକୁ ବେଆଇନ ଭାବେ ବିଭିନ୍ନ ସ୍ଥାନକୁ ଚାଲାଣ କରାଯାଇଥିବା ଇଡି କହିଛି। ଏହାକୁ ବିଭିନ୍ନ ସ୍ଥାନରେ ସମ୍ପତ୍ତି କିଣାରେ ବ୍ୟବହାର ମଧ୍ୟ କରାଯାଇଛି। ଏହି ମାମଲାରେ ଇଡି ବର୍ତ୍ତମାନ ସୁଦ୍ଧା ୪୨୨୯ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି। ଋଣ ଅର୍ଥକୁ ଅନ୍ୟ ଆଡେ ପଠାଇବାରେ ସିଂଘଲ ମାଷ୍ଟର ମାଇଣ୍ଡ ବୋଲି ଇଡି ପ୍ରକାଶ କରିଛି। ବିଶେଷ କରି ଭୂତ କମ୍ପାନୀଙ୍କ ଦ୍ୱାରା ଏହି ନେଣଦେଣ ହୋଇଥିବା କୁହାଯାଉଛି। କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ)ର ଏଫ୍‌ଆଇଆର୍‌ ପରେ ଇଡି ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

Share