ପୂର୍ବତନ ମନ୍ତ୍ରୀଙ୍କ ବିରୋଧରେ ଜମି ହଡ଼ପ ଅଭିଯୋଗ

ଭୁବନେଶ୍ୱର,୨୬ା୧୧(ବ୍ୟୁରୋ) : ପୂର୍ବତନ ମନ୍ତ୍ରୀ ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀ ୧୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ମୂଲ୍ୟର ସରକାରୀ ଜମିକୁ ହଡ଼ପ କରିଥିବା ଭାଜପା ପକ୍ଷରୁ ଅଭିଯୋଗ କରାଯାଇଛି। ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ସୋମବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଦଳର ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି ଯେ, ଓଡ଼ିଶା ସରକାରଙ୍କର ପୂର୍ବତନ କ୍ୟାବିନେଟ୍‌ ମନ୍ତ୍ରୀ ମହାରଥୀ ସର୍ବସାଧାରଣ ସମ୍ପତ୍ତି, ଜଳସେଚିତ କେନାଲ ଜମି, ଗୋଚର, ଚକନାଳୀ, ଚକ ରାସ୍ତା, ରିଜର୍ଭଜଙ୍ଗଲ, ଅନାବାଦି, ଚକ ରାସ୍ତା ଆଦିକୁ ନିଜ ହୁଙ୍କେଇପୁର ଫାର୍ମ୍‌ ହାଉସ୍‌ରେ ମିଶାଇ ଜବରଦଖଲ କରଛନ୍ତି। ହୁଙ୍କେଇପୁର ଫାର୍ମ୍‌ ହାଉସ୍‌ ନିକଟବର୍ତ୍ତୀ ମୌଜା ପୋଡ଼ାଗୁଣ ଓ ପାଣିଦୋଳ ଗ୍ରାମର ବିଭିନ୍ନ ସରକାରୀ ପ୍ଲଟ୍‌କୁ ତାଙ୍କ ଫାର୍ମ ହାଉସରେ ମିଶାଇ ଦେଇ ଭୋଗ ଦଖଲ କରୁଛନ୍ତି। ମହାରଥୀଙ୍କ ବେଆଇନ ଜମି ଜବରଦଖଲ ବିରୋଧରେ ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟ କେସ ନଂ ୭୬୭୧ / ୨୦୧୫ରେ ଓଡ଼ିଶା ହାଇକୋର୍ଟରେ ମକଦ୍ଦମା କରିଥିଲେ। ମାନ୍ୟବର ହାଇକୋର୍ଟ ୨୩ା୦୨ା୨୦୧୬ରେ ନିର୍ଦ୍ଦେଶ ଦେଇଥିଲେ ଯେ, ଦରଖାସ୍ତକାରୀ ଏ ସଂକ୍ରାନ୍ତରେ ଜିଲାପାଳଙ୍କ ନିକଟରେ ଦରଖାସ୍ତ କରିବେ ଏବଂ ଜିଲାପାଳ ଦୁଇ ମାସ ଭିତରେ ନିଷ୍ପତ୍ତି ନେବେ। ତେଣୁ ଜିଲାପାଳ ଆଜି ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇ ନାହାନ୍ତି କାହିଁକି। ଏପରିକି ପରବର୍ତ୍ତୀ ସମୟରେ ମହାରଥୀ ଏବଂ ସାମନ୍ତରାୟଙ୍କୁ ସଚିବାଳୟରେ ଏକାଠି ଦେଖିବାକୁ ମିଳିଥିଲା। ରାଜନୈତିକ ଫାଇଦା ପାଇଁ ଉଭୟ ପରସ୍ପରର ସହଯୋଗୀ ପାଲଟିଥିଲେ, ଏହି ଜମି ହଡ଼ପ ମାମଲାରେ ଯୁଧିଷ୍ଠିରଙ୍କ ଭୂମିକା ସନ୍ଦେହଜନକ। ତେଣୁ ଉଭୟଙ୍କ ବିରୁଦ୍ଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ହେଉ ବୋଲି ଗୋଲକ କହିଛନ୍ତି। ହେଲେ ଯୁଧିଷ୍ଠିର ସାମନ୍ତରାୟ ଏହିସବୁ ଅଭିଯୋଗକୁ ପୁରୁଣା ଅଭିଯୋଗ କହି ଏଡ଼ାଇ ଦେଇଛନ୍ତି। ଅପରପକ୍ଷରେ ଏହି ଅଭିଯୋଗ ଉପରେ ବିଧାୟକ ମହାରଥୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

Share