ପୂର୍ବତନ ମିସ୍‌ ଇଣ୍ଡିଆ ଏବେ ଲାଇମ୍‌ଲାଇଟ୍‌ରୁ ଦୂରରେ

ମୁମ୍ବାଇ: ୮୦ ଓ ୯୦ ଦଶକର ଏହି ଅଭିନେତ୍ରୀ ନିଜର ସୌନ୍ଦର୍ଯ୍ୟ ଓ ଅଭିନୟ ଜାଦୁରେ ସମସ୍ତଙ୍କ ମନ୍ତ୍ରମୁଗ୍ଧ କରିଥିଲେ। ନିଜର ସୌନ୍ଦର୍ଯ୍ୟ ପାଇଁ ମିସ୍‌ ଇଣ୍ଡିଆର ଖ୍ୟାତି ପାଇଥିବା ଏହି ଅଭିନେତ୍ରୀ ଜଣକ ସିନେମାଜଗତରେ ମଧ୍ୟ ବହୁ ନାଁ କମାଇଛନ୍ତି। ହେଲେ ଆଜି ସେ ଲାଇମ୍‌ଲାଇଟ୍‌ରୁ ଦୂରରେ ରହିଛନ୍ତି। ସମୟ ସହ ତାଙ୍କ ଲୁକ୍‌ରେ ମଧ୍ୟ ପରିବର୍ତ୍ତନ ଆସିଥିବାରୁ ତାଙ୍କୁ ଏବେ ଚିହ୍ନି ବି ହେଉନାହିଁ। ଆମେ ଆଉ କାହା କଥା ନୁହେଁ ଅଭିନେତ୍ରୀ ସୋନୁ ଓ୍ବାଲିଆଙ୍କ କଥା କହୁଛୁ। ବୁଧବାର ସୋନୁ ନିଜର ୫୬ତମ ଜନ୍ମଦିନ ପାଳନ କରିଛନ୍ତି। ୧୯୬୪ ଫେବୃୟାରୀ ୧୯ରେ ସୋନୁ ଦିଲ୍ଲୀରେ ଏକ ପଞ୍ଜାବୀ ଘରେ ଜନ୍ମଗ୍ରହଣ କରିଥିଲେ। ନିଜ ପାଠପଢ଼ା ଶେଷ କରିବା ପରେ ସେ ମଡେଲିଂ ଆରମ୍ଭ କରିଥିଲେ। ମଡେଲିଂ ଜଗତରେ ସଫଳତାର ଶୀର୍ଷରେ ପହଞ୍ଚିବା ପରେ ସେ ମିସ୍‌ ଇଣ୍ଡିଆ ପ୍ରତିଯୋଗିତାରେ ଭାଗ ନେଇଥିଲେ। ୧୯୮୫ରେ ସେ ମିସ୍‌ ଇଣ୍ଡିଆ ଖ୍ୟାତି ଅର୍ଜନ କରିଥିଲେ। ଏହି ଖ୍ୟାତି ପାଇବା ପରେ ସୋନୁ ବଲିଉଡ୍‌ରେ ଏଣ୍ଟ୍ରି କରିଥିଲେ। ୧୯୮୮ରେ ଫିଲ୍ମ ‘ଖୁନ୍‌ ଭରି ମାଙ୍ଗ’ରେ ଅଭିନୟ କରିଥିବା ବେଳେ ତାଙ୍କୁ ଏହି ଫିଲ୍ମ ଏକ ନୂଆ ପରିଚୟ ଦେଇଥିଲା। ଏହି ଫିଲ୍ମ ପାଇଁ ତାଙ୍କୁ ବେଷ୍ଟ ସପୋର୍ଟିଂ ଆକ୍ଟ୍ରେସ୍‌ ଫିଲ୍ମଫେୟାର ଆଓ୍ବାର୍ଡ ମିଳିଥିଲା। ଏହାପରେ ୧୯୮୮ରେ ଫିଲ୍ମ ‘ଆକର୍ଷଣ’ରେ ସୋନୁଙ୍କୁ ବୋଲ୍ଡ ଚରିତ୍ରରେ ଦେଖିବାକୁ ମିଳିଥିଲା। ତାଙ୍କର କେତେକ ଫିଲ୍ମ ବକ୍ସ ଅଫିସରେ ଧମାଲ୍‌ କରିଥିବା ବେଳେ ଆଉ କେତେକ ଅସଫଳ ହୋଇଥିଲା। ପରେ ସେ ସିନେମାଜଗତଠାରୁ ଦୂରେଇ ଯାଇ ବିବାହ କରିଥିଲେ। ଏନ୍‌ଆରଆଇ ସୂର୍ଯ୍ୟ ପ୍ରକାଶଙ୍କୁ ସୋନୁ ବିବାହ କରି ଘରସଂସାର କରିଥିବା ବେଳେ ତାଙ୍କ ନିଧନ ପରେ ସେ ଏନ୍‌ଆରଆଇ ଫିଲ୍ମ ପ୍ରଯୋଜକ ପ୍ରତାପ ସିଂହଙ୍କୁ ବିବାହ କରିଥିଲେ। ଏବେ ସେ ୟୁଏସ୍‌ରେ ରହୁଥିବା ଜଣାପଡ଼ିଛି।

Share