Categories: ଜାତୀୟ

ପୂର୍ବତନ ସେନା ଅଧିକାରୀ ବିଦେଶୀ ଘୋଷିତ

ଗୁଆହାଟୀ, ୩୦ା୫: ରାଷ୍ଟ୍ରପତି ମେଡାଲ୍‌ ପାଇଥିବା ଆସାମର ଜଣେ ପୂର୍ବତନ ସେନା ଅଧିକାରୀଙ୍କୁ ବୁଧବାର ଗିରଫ କରାଯାଇଛି। କାମରୂପସ୍ଥିତ ବୈଦେଶିକ ନ୍ୟାୟାଳୟରେ ତାଙ୍କୁ ଜଣେ ବିଦେଶୀ ବୋଲି ଘୋଷଣା କରାଯାଇଥିବା ପୋଲିସ କହିଛି। କାମରୂପ ଜିଲାର ବୋକୋ ପୋଲିସ ଷ୍ଟେଶନ ଅଧିନ କୋଲୋହିକାସ୍‌ ଗ୍ରାମରେ ମହମ୍ମଦ ସନା ଉହ୍ଲା ବାସକରନ୍ତି। ଏବେ ସେ ବର୍ଡର ପୋଲିସ ଏସ୍‌ଆଇଭାବେ କାର୍ଯ୍ୟ କରୁଛନ୍ତି।
ଘଟଣାକୁ ନେଇ ୨୦୦୮ ମସିହାରେ ସନା ଉହ୍ଲାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ସନ୍ଦିଗ୍ଧ ଭୋଟରଭାବେ ତାଙ୍କୁ ଭୋଟର ତାଲିକାରେ ରଖାଯାଇଥିଲା। ଏବେ ଏଭଳି ଘଟଣା ପଦାକୁ ଆସିବା ପରେ ତାଙ୍କୁ ଗୋଲପାରା କ୍ୟାମ୍ପରେ ଅଟକ ରଖାଯାଇଛି ବୋଲି କାମରୂପ ଜିଲା ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ସଞ୍ଜୀବ ସାଇକିଆ ପ୍ରକାଶ କରିଛନ୍ତି। ତେବେ ସନା ଉହ୍ଲା ନିଜକୁ ଜଣେ ଭାରତୀୟ ବୋଲି ଦାବିକରି ତାଙ୍କ ପାଖରେ ଆବଶ୍ୟକ ପ୍ରମାଣପତ୍ର ଥିବା ଦର୍ଶାଇଛନ୍ତି। ସେନାରେ ୩୦ ବର୍ଷ କଟାଇ ରାଷ୍ଟ୍ରପତି ପଦକ ପାଇଥିବା ସନା ଉହ୍ଲା କହିଛନ୍ତି ଯେ, ସ୍ଥାନୀୟ ଚମ୍ପୋପାରା ହାଇସ୍କୁଲରେ ସେ ମାଟ୍ରିକ ପାସ୍‌ କରିଛନ୍ତି। ତାଙ୍କ ପାଖରେ ଭୋଟର ପରିଚୟପତ୍ର, ପୈତୃକ ସମ୍ପତ୍ତିର ପ୍ରମାଣପତ୍ର ଆଦି ରହିଥିବା ପରିବାର ପକ୍ଷରୁ ଦାବି କରାଯାଇଛି। ଆମେ ଟ୍ରିବ୍ୟୁନାଲ ରାୟ ବିରୋଧରେ ଗୁଆହାଟୀ ହାଇକୋର୍ଟରେ ଆବେଦନ କରିବୁ ବୋଲି ସନା ଉହ୍ଲାଙ୍କ ପରିବାର ପକ୍ଷରୁ ପ୍ରକାଶ କରାଯାଇଛି।

Share