ପୂର୍ବଶତ୍ରୁତାରୁ ଯୁବକଙ୍କୁ ହତ୍ୟା ଘଟଣା: ଜେଲ ଗଲେ ମହିଳାଙ୍କ ସମେତ ୩ ଅଭିଯୁକ୍ତ

ଭଦ୍ରକ ଅଫିସ,୨।୧- ପୂର୍ବଶତ୍ରୁତାକୁ କେନ୍ଦ୍ରକରି ଗତ ବୁଧବାର ଭୋର ସମୟରେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଜଳଙ୍ଗା ଗ୍ରାମର ସତ୍ୟବ୍ରତ ଶିଅଳ(୨୫)ଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ପୋଲିସ ବୁଧବାର ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଗୁରୁବାର ଜଣେ ମହିଳାଙ୍କ ସମେତ ଦୁଇଜଣଙ୍କୁ ପୋଲିସ ଗିରଫ କରି ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିଲା। ଜାମିନ୍‌ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ଜଳଙ୍ଗା ଗ୍ରାମର ପ୍ରଶାନ୍ତ ବେହେରା, ତାଙ୍କ ବଡ଼ଭାଇ ସୁଶାନ୍ତ ବେହେରା ଓ ସୁଶାନ୍ତଙ୍କ ସ୍ତ୍ରୀ ମିତା ବେହେରା। ଏହି ୩ ଜଣ ସତ୍ୟବ୍ରତଙ୍କୁ ହତ୍ୟା କରି ମୃତଦେହକୁ ବ୍ୟାଙ୍କ ସମ୍ମୁଖ ରାସ୍ତାକଡ଼ରେ ଫିଙ୍ଗି ଦେଇଥିଲେ ବୋଲି ଏକ ଖବରଦାତା ସମ୍ମିଳନୀରେ ପୋଲିସ ସୂଚନା ଦେଇଛି।
ପୋଲିସ ଏହି ସୂଚନା ଦେଇ କହିଛି ଯେ, ଗତ ମଙ୍ଗଳବାର ରାତିରେ ସତ୍ୟବ୍ରତ କେତେଜଣ ସାଙ୍ଗଙ୍କ ସହ ଜିରୋ ନାଇଟ୍‌ ଭୋଜି କରିଥିଲେ। ଭୋଜି ସାରି ରାତି ପ୍ରାୟ ୨ଟା ବେଳେ ଜଳଙ୍ଗା ଛକ ଦୋକାନକୁ ଶୋଇବାକୁ ଯାଉଥିବା ବେଳେ ତାଙ୍କୁ ନିଜ ଘର ଛାତ ଉପରକୁ ଡାକି ନେଇଥିଲେ ପ୍ରଶାନ୍ତ। ସେଠାରେ ସତ୍ୟବ୍ରତଙ୍କ ସହ ପ୍ରଶାନ୍ତଙ୍କ ଠେଲାପେଲା ଓ ଯୁକ୍ତିତର୍କ ହୋଇଥିଲା। ଯୁକ୍ତିତର୍କ ସମୟରେ ସତ୍ୟବ୍ରତ ଛାତ ଉପରୁ ତଳକୁ ପଡ଼ି ଯାଇଥିଲେ। ସତ୍ୟବ୍ରତ ମରିଯାଇଥିବା ଭାବି ପ୍ରଶାନ୍ତଙ୍କ ବଡ଼ଭାଇ ସୁଶାନ୍ତ ଓ ଭାଉଜ ମିତା ମିଶି ମୃତଦେହକୁ ଉଠାଇ ଆଣି ବ୍ୟାଙ୍କ ସମ୍ମୁଖ ରାସ୍ତାପାର୍ଶ୍ୱରେ ପକାଇ ଦେଇଥିଲେ ବୋଲି ପଚରାଉଚରା ବେଳେ କହିଛନ୍ତି। ଏହି ଘଟଣା ପଛରେ ଅନ୍ୟ କିଛି କାରଣ ରହିଥିବା ସନ୍ଦେହ ମଧ୍ୟ କରାଯାଉଛି। ଆବଶ୍ୟକ ପଡ଼ିଲେ ଗିରଫ ୩ ଜଣଙ୍କୁ ରିମାଣ୍ଡରେ ଆଣି ତଦନ୍ତ କରାଯିବ ବୋଲି ଅତିରିକ୍ତ ଏସ୍‌ପି କୈଳାସ ଚନ୍ଦ୍ର ପରିଡ଼ା ଓ ଏସ୍‌ଡିପିଓ ସୁନୀଲ ନନ୍ଦ ସୂଚନା ଦେଇଛନ୍ତି। ତେବେ ହତ୍ୟାକାଣ୍ଡର ପ୍ରକୃତ କାରଣ ସ୍ପଷ୍ଟ ହୋଇ ନ ଥିବା କୁହାଯାଇଛି। ଖବରଦାତା ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଥାନାଧିକାରୀ ପ୍ରଭାଂଶୁ ମିଶ୍ର ଓ ତଦନ୍ତ ଅଧିକାରୀ ଶୋଭନ କୁମାର ସ୍ବାଇଁ ଉପସ୍ଥିତ ଥିଲେ।