Categories: ଖେଳ

ପୂର୍ବାଞ୍ଚଳ ଆନ୍ତଃ ବିଶ୍ୱବିଦ୍ୟାଳୟ କ୍ରିକେଟ୍‌: ଉତ୍କଳ ବିଶ୍ୱବିଦ୍ୟାଳୟ ଚାମ୍ପିୟନ

କଟକ ଅଫିସ,୧୫ା୧- ରେଭେନ୍‌ଶା ବିଶ୍ୱବିଦ୍ୟାଳୟ ପଡ଼ିଆରେ ଅନୁଷ୍ଠିତ ପୂର୍ବାଞ୍ଚଳ ଆନ୍ତଃ ବିଶ୍ୱବିଦ୍ୟାଳୟ କ୍ରିକେଟ ଟୁର୍ନାମେଣ୍ଟରେ ଉତ୍କଳ ବିଶ୍ୱବିଦ୍ୟାଳୟ ଦଳ ଚାମ୍ପିୟନ ହୋଇଛି। ଲିଗ୍‌ ଫର୍ମାଟରେ ଅନୁଷ୍ଠିତ ପ୍ରତିଯୋଗିତାର ଫାଇନାଲ ରାଉଣ୍ଡରେ ଉତ୍କଳ ସର୍ବାଧିକ ପଏଣ୍ଟ ହାସଲ କରିଛି। ଭିବିଏସ୍‌ ପୂର୍ବାଞ୍ଚଳ ଦଳ ଦ୍ୱିତୀୟ ସ୍ଥାନରେ ରହିଛି। ଏହି ଦୁଇ ଦଳ ଆଗାମୀ ଦିନରେ ଆନ୍ଧ୍ରପ୍ରଦେଶରେ ହେବାକୁ ଥିବା ସର୍ବଭାରତୀୟ କ୍ରିକେଟ ଟୁର୍ନାମେଣ୍ଟରେ ଭାଗ ନେବା ପାଇଁ ଯୋଗ୍ୟତା ହାସଲ କରିଛନ୍ତି।
ରେଭେନ୍‌ଶା ଗ୍ରାଉଣ୍ଡ-୧ରେ ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍‌ରେ ଉତ୍କଳ ବିଶ୍ୱବିଦ୍ୟାଳୟ ୪ ଉଇକେଟରେ ଭିବିଏସ୍‌ ପୂର୍ବାଞ୍ଚଳଠାରୁ ପରାସ୍ତ ହୋଇଥିଲା। ପ୍ରଥମେ ବ୍ୟାଟିଂ କରିଥିବା ଉତ୍କଳ ୧୨୮ରନରେ ଅଲଆଉଟ ହୋଇଥିଲା। ଶୁଭମ ନାୟକ ୨୯, ଆଶିଷ ସାହୁ ୨୭ରନ କରିଥିଲେ। ଭିବିଏସ୍‌ ପୂର୍ବାଞ୍ଚଳ ପକ୍ଷରୁ ଭିପିନ ଚନ୍ଦ୍ର ୧୮ରନ ବିନିମୟରେ ସର୍ବାଧିକ ୪ଟି ଉଇକେଟ ଅକ୍ତିଆର କରିଥିଲେ। ଜବାବରେ ୬ ଉଇକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲା ଭିବିଏସ୍‌। ଉତ୍କଳ ପକ୍ଷରୁ ଦିଲ୍ଲୀପ ଜେନା ୪ଟି ଉଇକେଟ ହାସଲ କରିଥିଲେ। ରେଭେନ୍‌ଶା ବିଶ୍ୱବିଦ୍ୟାଳୟ ଗ୍ରାଉଣ୍ଡ-୨ରେ ଅନୁଷ୍ଠିତ ମ୍ୟାଚ୍‌ରେ ହେମଚାନ୍ଦ ଯାଦବ ବିଶ୍ୱବିଦ୍ୟାଳୟ ଦଳ ବିନୋବା ଭାବେ ବିଶ୍ୱବିଦ୍ୟାଳୟକୁ ପରାସ୍ତ କରିଛି। ପ୍ରତିଯୋଗିତାରେ ହେମଚାନ୍ଦ ଦଳ ୩ୟ ଓ ବିନୋବା ଭାବେ ୪ର୍ଥ ସ୍ଥାନରେ ରହିଛନ୍ତି। ଉଦ୍‌ଯାପନୀ ଉତ୍ସବରେ ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତି, ସମ୍ପାଦକ ସଞ୍ଜୟ ବେହେରା, ପ୍ରବୋଧ ମହାନ୍ତି ଅତିଥି ଭାବେ ଯୋଗ ଦେଇଥିଲେ। ରେଭେନ୍‌ଶା ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଇଶାନ କୁମାର ପାତ୍ର କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ। ଡ. କେଏସକେ ଭରଦ୍ୱାଜ ସ୍ବାଗତ ଭାଷଣ ଦେଇଥିବା ବେଳେ କ୍ରୀଡ଼ା ଅଧିକାରୀ ଅଞ୍ଜନ କୁମାର ଖୁଣ୍ଟିଆ ଧନ୍ୟବାଦ ଅର୍ପଣ କରିଥିଲେ।

Share