Categories: ଖେଳ

ପୂର୍ବାଞ୍ଚଳ ଶିବିରରେ ଶୁଭକାନ୍ତ ଫିଜିଓ

କଟକ ଅଫିସ,୨୨ା୫- ଜୁନ ୨୪ରୁ ଜୁଲାଇ ୧୮ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରସ୍ଥିତ କିଟ ଷ୍ଟାଡିୟମରେ ୧୬ବର୍ଷରୁ କମ୍‌ ପୂର୍ବାଞ୍ଚଳ ଦଳ କ୍ରିକେଟ ଶିବିର ଅନୁଷ୍ଠିତ ହେବ। ଉକ୍ତ ଶିବିରରେ ଓଡ଼ିଶାର ଶୁଭକାନ୍ତ ସାହୁ ଫିଜିଓ ଭାବେ ନିଯୁକ୍ତ ହୋଇଛନ୍ତି। ବେଙ୍ଗାଲୁରୁସ୍ଥିତ ଜାତୀୟ କ୍ରିକେଟ ଏକାଡେମୀ(ଏନ୍‌ସିଏ) ଆନୁକୂଲ୍ୟରେ ଗତ ଏପ୍ରିଲ ୨୦ ଓ ୨୧ ତାରିଖରେ ଫିଜିଓ ମାନଙ୍କୁ ନେଇ ଏକ ଓରିଏଣ୍ଟେସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଶୁଭକାନ୍ତ ଯୋଗ ଦେବା ସହ ଆସନ୍ତା ୧୬ବର୍ଷରୁ କମ୍‌ ପୂର୍ବାଞ୍ଚଳ ଶିବିର ନିମନ୍ତେ ମନୋନୀତ ହୋଇଛନ୍ତି। ସୂଚନା ଥାଉକି, ୨୦୦୯ ମସିହାରୁ ରାଜ୍ୟ କ୍ରିକେଟ ସହ ଜଡ଼ିତ ଥିବା ଶୁଭକାନ୍ତ ୨୦୧୧ ମସିହାରୁ ରାଜ୍ୟ ରଣଜୀ ଦଳର ନିୟମିତ ଫିଜିଓ ଭାବେ ଦାୟିତ୍ୱ ତୁଲାଇ ଆସୁଛନ୍ତି। ଓଡ଼ିଶାର ଏକମାତ୍ର ଲେଭଲ-୧ ଫିଜିଓ ହେଲେ ଶୁଭକାନ୍ତ। ଏଥିପୂର୍ବରୁ ୨୦୧୮ରେ ଝାଡ଼ଖଣ୍ଡରେ ଅନୁଷ୍ଠିତ ୧୬ବର୍ଷରୁ କମ୍‌ ବାଳକ ପୂର୍ବାଞ୍ଚଳ କ୍ରିକେଟ ଶିବିର ଓ ୨୦୧୬ରେ କିଟରେ ଅନୁଷ୍ଠିତ ୧୯ବର୍ଷରୁ କମ ପୂର୍ବାଞ୍ଚଳ ଶିବିରରେ ମଧ୍ୟ ସେ ଫିଜିଓ ଥିଲେ।

Share