ପୂର୍ବାହ୍ନ ୧୦ଟା ସୁଦ୍ଧା ଖୋଲିନାହିଁ ଆର୍‌ଆଇ ଅଫିସ : ହୋହଲ୍ଲା କରୁଛନ୍ତି ଲୋକେ

ହାଟଡିହୀ,୧୦ା୬(ଡି.ଏନ୍‌.ଏ.) : କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସୋସୋ ଆର୍‌ଆଇ ଅଫିସ ସକାଳୁଆ ହୋଇଥିଲେ ମଧ୍ୟ ପୂର୍ବାହ୍ନ ୧୦ଟା ସୁଦ୍ଧା କୌଣସି ସରକାରୀ କର୍ମଚାରୀଙ୍କ ଦେଖାନାହିଁ। ଅଫିସ ଗୃହରେ ତାଲା ଝୁଲୁଛି। ଏହି ଆର୍‌ଆଇ ସର୍କଲ ଉପରେ ନିର୍ଭର କରୁଥିବା ବିଭିନ୍ନ ଗ୍ରାମର ଲୋକେ ସେମାନଙ୍କର କାର୍ଯ୍ୟ ପାଇଁ ଅଫିସକୁ ଆସି ତାଲା ଝୁଲୁଥିବା ଦେଖିଥିଲେ। ଫଳରେ ଅସନ୍ତୋଷ ପ୍ରକାଶ କରିବା ସହ ଅଫିସ ସମ୍ମୁଖରେ ହୋହଲ୍ଲା ଚଳାଇଛନ୍ତି। ମରଚାଇପଦା, ବଣିଆପଙ୍କ, ରାଇଘାଟି, ମଧୁବନ, କୁଶଟିକିରି, ବାଙ୍ଗୋର ଆଦି ଗ୍ରାମର କରୁଣାକର ବିଶ୍ୱାଳ ସୋସୋ ପଞ୍ଚାୟତର ପୂର୍ବତନ ସରପଞ୍ଚ ବୈଲୋଚନ ନାୟକ, ଜଗନ୍ନାଥ ବେହେରା, ବନମାଳୀ ମୁଣ୍ଡିଆଳି, ବୀର ଡାକୁଆଙ୍କ ସମେତ ୩୦ରୁ ଊର୍ଦ୍ଧ୍ୱ ଲୋକ ଅଫିସ ସମ୍ମୁଖରେ ପ୍ରତିବାଦ କରିଛନ୍ତି। ପିଲାମାନଙ୍କର ଉଚ୍ଚଶିକ୍ଷା ନିମନ୍ତେ ଆବଶ୍ୟକ ପଡ଼ୁଥିବା ବିଭିନ୍ନ ସାର୍ଟିଫିକେଟ୍‌ ନେବା ପାଇଁ ଲୋକମାନେ ଆସିଥିଲେ।