ପୂର୍ବ ପ୍ରେମିକ ହାର୍ଦ୍ଦିକଙ୍କ ସହ ସମ୍ପର୍କକୁ ନେଇ ଅଡ଼ୁଆରେ ଉର୍ବଶୀ, କହିଲେ ‘ମୋ ଛବିକୁ ଖରାପ କରା ନ ଯାଉ’

ମୁମ୍ବାଇ: ବଲିଉଡ ଅଭିନେତ୍ରୀଙ୍କ ସହ ଭାରତୀୟ କ୍ରିକେଟ ଖେଳାଳିଙ୍କ ନାମ ଯୋଡ଼ା ଯିବା ସାଧାରଣ କଥା। ମାତ୍ର ବେଳେବେଳେ ଏହା ଅଭିନେତ୍ରୀମାନଙ୍କ ବ୍ୟକ୍ତିଗତ ଜୀବନକୁ ପ୍ରଭାବିତ କରିଥାଏ। ଏଭଳି କିଛି ଘଟିଛି ଅଭିନେତ୍ରୀ ଉର୍ବଶୀ ରୌତେଲାଙ୍କ କ୍ଷେତ୍ରରେ। ଭାରତୀୟ କ୍ରିକେଟ ଦଳର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ତାଙ୍କ ନାମକୁ ବାରମ୍ବାର ଯୋଡ଼ା ଯିବା ଯୋଗୁ ସେ ଅଡ଼ୁଆରେ ପଡ଼ିଛନ୍ତି। ୟୁଟ୍ୟୁବ୍‌ରେ ଉଭୟଙ୍କ ବିଷୟରେ ଅନେକ ମିଥ୍ୟା ଭିଡିଓ ଭାଇରାଲ ହେଉଛି। ଏହା ଦେଖିବା ପରେ ଆଶ୍ଚର୍ଯ୍ୟ ହୋଇଛନ୍ତି ଉର୍ବଶୀ। ହାର୍ଦ୍ଦିକ ଏବଂ ତାଙ୍କ ଭିତରେ ବନ୍ଧୁତା ଛଡ଼ା ଅନ୍ୟ କୌଣସି ସମ୍ପର୍କ ନାହିଁ। ତେଣୁ ଏଭଳି କିଛି କରି ତାଙ୍କ ଛବିକୁ ଖରାପ ନ କରାଯାଉ ବୋଲି ଇନ୍‌ଷ୍ଟାରେ ଭିଡିଓର ସ୍କ୍ରିନଶଟ୍‌ ଶେୟାର କରି ସେ କହିଛନ୍ତି। ତାଙ୍କର ଏକ ପରିବାର ରହିଛି। ଏସବୁକୁ ନେଇ ତାଙ୍କୁ ଜବାବ ଦେବାକୁ ପଡ଼ିଥାଏ ବୋଲି ସେ କହିଛନ୍ତି।

ତେବେ ହାର୍ଦ୍ଦିକଙ୍କ ସହ ବଲିଉଡ୍‌ର ଅନେକ ଅଭିନେତ୍ରୀଙ୍କ ନାମ ଯୋଡ଼ା ଯାଇଛି, ଯେଉଁଥିରେ ରହିଛନ୍ତି ଏଲି ଆବ୍ରାହମ୍‌, ଇଶା ଗୁପ୍ତା। ହେଲେ ଗତବର୍ଷ ହାର୍ଦ୍ଦିକ ଉର୍ବଶୀଙ୍କ ପ୍ରେମରେ ପଡ଼ିଛନ୍ତି ବୋଲି ଚର୍ଚ୍ଚା ହେଉଥିଲା। ମାତ୍ର ଏହାକୁ ଅସ୍ବୀକାର କରିଥିଲେ ଉର୍ବଶୀ। ନିକଟରେ ବିଶ୍ୱ କପ୍‌ରେ ଟିକେଟ ଯୋଗାଡ଼ କରିବାକୁ ନେଇ ଉଭୟଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହେଉଥିବା ନେଇ ଆଲୋଚନା  ଚାଲିଛି।

Share