ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଭୁଜାଲି ମାଡ଼: ଜଣେ ଅଟକ

ଯୋଡ଼ା,୬।୩(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ସହରର ବାଚୁ ହଣ୍ଟିଠାରେ ଶୁକ୍ରବାର ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଦୁଇ ଜଣ ବ୍ୟକ୍ତିଙ୍କୁ ଭୁଜାଲି ଓ ଠେଙ୍ଗାରେ ମରଣାନ୍ତକ ଆକ୍ରମଣ ହୋଇଛି ।
ସୂଚନାଯୋଗ୍ୟ, ଅପରାହ୍ନରେ ଯୋଡ଼ା ସହରର ବାଚୁ ହଟିଂଠାରେ ରହୁଥିବା ଚତୁର୍ଭୁଜ ନାଏକଙ୍କୁ ଉକ୍ତ ହଟିଂର ଦୁଇଜଣ ଯୁବକ ଠେଙ୍ଗାରେ ମାଡ଼ ମାରି ରକ୍ତାକ୍ତ କରିଦେଇଥିଲେ। ପରେ ଆକ୍ରମଣକାରୀ ନିକଟରେ ରହୁଥିବା ନରସିଂ ମୁଣ୍ଡାଙ୍କ ଘରକୁ ଯାଇ ସେ ଶୋଇଥିବା ଅବସ୍ଥାରେ ତାଙ୍କ ପେଟରେ ଭୁଜାଲି ଭୁସି ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଜଣଙ୍କୁ କାବୁ କରି ଥିବା ବେଳେ ଅନ୍ୟ ଜଣେ ଆକ୍ରମଣକାରୀ ସେଠାରୁ ଫେରାର ହୋଇଯାଇଥିଲେ। ପୋଲିସ ଆହତଦ୍ୱୟଙ୍କୁ ଟାଟାଷ୍ଟିଲ ଡାକ୍ତରଖାନାକୁ ପଠାଇଥିଲା। ମାତ୍ର ନରସିଂଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କେନ୍ଦୁଝର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଖବର ମିଳିଛି । ଏ ନେଇ ପୋଲିସ କାବୁ କରିଥିବା ଆକ୍ରମଣକାରୀ ଯୁବକଙ୍କୁ ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଛି । ଏହି ଘଟଣା ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଘଟିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି।