ଖଇରା, ୯।୩(ଡି.ଏନ.ଏ.)-ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ରୁଢିଙ୍ଗିଆ ଗ୍ରାମର କୈଳାସ ବରାଳ ଓ ତାଙ୍କ ଝିଅଙ୍କୁ ଆକ୍ରମଣ କରାଯାଇଛି। ଗ୍ରାମର ଅଙ୍ଗନୱାଡି କର୍ମୀ ଓ ତାଙ୍କ ପରିବାର ଲୋକ ସେମାନଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଖଇରା ଥାନାରେ ଅଭିଯୋଗ ହୋଇଛି। ଖଇରା ପୋଲିସ ଏ ସଂକ୍ରାନ୍ତରେ ଏକ ମାମଲା(ନଂ. ୫୪/୨୦) ରୁଜୁ କରି ମୀନତି ନାୟକ, ସହଯୋଗୀ ସବିତା ନାୟକ ଓ ଅନ୍ୟ ଜଣଙ୍କୁ ଗିରଫ କରି ସୋମବାର କୋର୍ଟଚାଲାଣ କରିଛନ୍ତି ା
କୈଳାସଙ୍କ ପତ୍ନୀ ବାସନ୍ତୀଙ୍କ ଅଭିଯୋଗ ଅନୁଯାୟୀ ସ୍ବାମୀ ରବିବାର ଅପରାହ୍ନରେ ଶଶୁର ଘରୁ ବାଇକ ନେଇ ଘରେ ପହଞ୍ଚିବା ପରେ ପରିବାର ଲୋକଙ୍କୁ ଗାଡି ଘର ଭିତରକୁ ଉଠାଇବା ପାଇଁ କହିଥିଲେ। ଏହି ସମୟରେ ପାଖରେ ଥିବା ସେହି ଗ୍ରାମର ଅଙ୍ଗନୱାଡି କର୍ମୀ ମୀନତି ନାୟକ, ତାଙ୍କ ସ୍ବାମୀ ଅଶୋକ ଓ ଅନ୍ୟ କେତେକ ସମ୍ପର୍କୀୟ ପୂର୍ବଶତ୍ରୁତାକୁ କେନ୍ଦ୍ର କରି ତାଙ୍କୁ ଗାଳିଗୁଲଜ କରିବା ସହିତ କୈଳାଶଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ା ବାପାଙ୍କୁ ମାରୁଥିବା ଦେଖି ତାଙ୍କର ଝିଅ ପ୍ରମିଳା ଛଡାଇବାକୁ ଯିବାରୁ ତାଙ୍କୁ ମଧ୍ୟ ମାଡ ମାରିବା ସହିତ ତାଙ୍କ ଉପରକୁ ପଥର ଫୋପାଡିଥିଲେ। ସଙ୍ଗେ ସଙ୍ଗେ ଆହତ କୈଳାଶଙ୍କୁ ଏକ ଅଟୋ ସାହାଯ୍ୟରେ ଖଇରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା।