ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ମରଣାନ୍ତକ ଆକ୍ରମଣ: ସରପଞ୍ଚଙ୍କ ସ୍ବାମୀ ଗୁରୁତର

ବାଲେଶ୍ୱର ଅଫିସ,୨୫ା୫: ବାଲେଶ୍ୱର ଜିଲା ସୋର ଥାନା ଅନ୍ତର୍ଗତ ସାଉଡ ପଞ୍ଚାୟତ ସରପଞ୍ଚଙ୍କ ସ୍ବାମୀ କମଳଲୋଚନ ପଣ୍ଡାଙ୍କୁ ସୋମବାର ମରଣାନ୍ତକ ଆକ୍ରମଣ ହୋଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ବାଲେଶ୍ୱର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସୂଚନାନୁଯାୟୀ, ସରପଞ୍ଚ ସୁଲୋଚନା ପଣ୍ଡାଙ୍କ ସ୍ବାମୀ କମଳଲୋଚନ ସୋମବାର ପୂର୍ବାହ୍ନରେ ଗାଁ ନିକଟସ୍ଥ ଏକ ମନ୍ଦିରରେ ଥିଲେ। ଏହି ସମୟରେ ସେହି ଗାଁର ସୁକଦେବ ବାରିକ ନାମକ ଜଣେ ବ୍ୟକ୍ତି ସେଠାରେ ପହଞ୍ଚିଲେ। ଉଭୟଙ୍କ ମଧ୍ୟରେ ପୂର୍ବରୁ ଶତ୍ରୁତା ଲାଗି ରହିଥିଲା। ଏହାକୁ କେନ୍ଦ୍ର କରି ସୁକଦେବ କମଳଲୋଚନଙ୍କୁ ଭୁଜାଲିରେ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଗାଁ ଲୋକେ ଉଦ୍ଧାର କରି ବାଲେଶ୍ୱର ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଖବର ପାଇ ସୋର ପୋଲିସ ଘଟଣାସ୍ଥଳରେ ପହଞ୍ଚି ସୁକଦେବଙ୍କୁ ଗିରଫ କରିବା ସହିତ ଭୁଜାଲି ଜବତ କରିଛି।