ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଆକ୍ରମଣ, ଜଣେ ଗୁରୁତର

ନୂଆଗାଁ, ୭।୧୧(ଡି.ଏନ୍‌.ଏ): ନୟାଗଡ଼ ଜିଲା ନୂଆଗାଁ ଥାନା ଅନ୍ଧାରଖଣି ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗୁରୁବାର ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ହୋଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ସେ ହେଲେ ଅନ୍ଧାରଖଣି ଗ୍ରାମର ଲକ୍ଷ୍ମଣ ନାୟକ(୫୮)।
ପ୍ରକାଶ ଯେ, ଲକ୍ଷ୍ମଣ ଓ ଗୋବର୍ଦ୍ଧନ ନାୟକ ଗୋଟିଏ ସାହିରେ ରୁହନ୍ତି। କୌଣସି କାରଣକୁ ନେଇ ପୂର୍ବରୁ ସେମାନଙ୍କ ମଧ୍ୟରେ ଶତ୍ରୁତା ରହିଥିଲା। ଗୁରୁବାର ପୂର୍ବାହ୍ନରେ ଲକ୍ଷ୍ମଣ ଗହମ ଆଣିବା ପାଇଁ ସାଇକେଲ ଧରି ବଜାରକୁ ବାହାରୁଥିବା ବେଳେ ଗୋବର୍ଦ୍ଧନ ଛେଳିଧରି ଜଙ୍ଗଲରୁ ଫେରୁଥିଲେ । ଏହି ସମୟରେ ଲକ୍ଷ୍ମଣ ତାଙ୍କୁ କିଛି କହୁଥିବା ଭାବି ଗୋବର୍ଦ୍ଧନ ଉତ୍ତ୍ୟକ୍ତ ହୋଇପଡ଼ିଥିଲେ। ହାତରେ ଧରିଥିବା ଟାଙ୍ଗିଆରେ ଲକ୍ଷ୍ମଣଙ୍କୁ ଆକ୍ରମଣ କରିଥିଲେ। ଏଥିରେ ସେ ଗୁରୁତର ହୋଇଥିଲେ। ତାଙ୍କ ପାଟିଶୁଣି ସ୍ଥାନୀୟ ଲୋକେ ଦୌଡିଆସିବାରେ ଗୋବର୍ଦ୍ଧନ ଦୌଡି ପଳାଇଥିଲେ। ଖବର ଲେଖା ହେବା ସୁଦ୍ଧା ଥାନାରେ କୌଣସି ଅଭିଯୋଗ ହୋଇ ନ ଥିବା ଜଣାପଡିଛି।