ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଅଗ୍ନିକାଣ୍ଡ: ଜଳିଗଲା ୨ ବଖରା, ୧୦ଜଣଙ୍କ ନାମରେ ମାମଲା

ମହାକାଳପଡ଼ା,୧୬।୮(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ବଳିପାଳ ପଞ୍ଚାୟତ ବାଲିସାହି ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଅଗ୍ନିକାଣ୍ଡ ଘଟିଛି। କିଛି ଦୁର୍ବୃତ୍ତ ଗୁରୁବାର ବିଳମ୍ବିତ ରାତିରେ ଗ୍ରାମର ଜୟନ୍ତୀ ନାୟକଙ୍କ ଘରେ ନିଆଁ ଲଗାଇଦେବା ଯୋଗୁ ଦୁଇ ବଖରା ଜଳିଯାଇଛି। ତେବେ ଖବର ପାଇ ଗ୍ରାମରେ ମୁତୟନ ଥିବା ପୋଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ପରିବାରର ଲୋକଙ୍କୁ ଉଦ୍ଧାର କରିଛନ୍ତି।

ସୂଚନାନୁଯାୟୀ, ଦେଢ଼ ବର୍ଷ ପୂର୍ବେ ଗ୍ରାମରେ ଘଟିଥିବା ଏକ ହତ୍ୟାକାଣ୍ଡକୁ ନେଇ ବିବାଦ ରହିଆସିଛି। ସେବେଠାରୁ ଗ୍ରାମର ରମାକାନ୍ତ ନାୟକଙ୍କ ପରିବାର ନିକଟସ୍ଥ ଛକଠାରେ ଏକ ଦୋକାନ ଘରେ ଆଶ୍ରୟ ନେଉଥିଲେ। ହେଲେ ଗୁରୁବାର ରାତିରେ ପରିବାରଲୋକକୁ ହତ୍ୟା କରିବା ଉଦ୍ଦେଶ୍ୟରେ ତାଙ୍କ ଘରେ ନିଆଁ ଲଗାଇଦେଇଥିବା କୁହାଯାଉଛି। ଗ୍ରାମରେ ପୂର୍ବରୁ ମୁତୟନ ହୋଇଥିବା ପୋଲିସ ରମାକାନ୍ତଙ୍କ ପରିବାରକୁ ଉଦ୍ଧାର କରିଥିଲେ। ଏନେଇ ସେ ଗ୍ରାମର ୧୦ଜଣଙ୍କ ନାମରେ ଅଭିଯୋଗ କରିଛନ୍ତି। ପୋଲିସ ୯୨/୧୯ରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଥିବା ଆଇଆଇସି ସୂଚନା ଦେଇଛନ୍ତି।