ପୂର୍ବ ଶତ୍ରୁତାକୁ ନେଇ କଟକରେ ବୋମାମାଡ଼

କଟକ ଅଫିସ,୨୨ା୮: ଲାଲବାଗ ଥାନା ଅନ୍ତର୍ଗତ ଡଗରପଡା ଭୂତିଆସାହିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବୁଧବାର ବୋମାମାଡ ହୋଇଛି। ୩ଜଣ ଦୁର୍ବୃତ୍ତ ଦୁଇଟି ବାଇକ୍‌ରେ ଆସି ଗୋଲକ ପରିଡା(୪୦) ଓ ସମ୍ପର୍କୀୟ ଭାଇ ଲିକୁନା (୩୫)ଙ୍କ ଘର ଉପରକୁ ୪ ବୋମା ଫିଙ୍ଗିଛନ୍ତି। ସେଥିମଧ୍ୟରୁ ୩ ବୋମା ଫୁଟିଥିଲା। ବୋମାମାଡରେ କାନ୍ଥଟି ସାମାନ୍ୟ କ୍ଷତିଗ୍ରସ୍ତ ହୋଇଛି। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଛି। ଏଥିସହ ବୋମା ନିଷ୍କ୍ରିୟକାରୀ ଦଳ କୋଟିଏ ଅଫୁଟା ବୋମାକୁ ଜବତ କରି ନିଷ୍କ୍ରିୟ କରିଥିବା ଜଣାପଡିଛି। ଏହି ଘଟଣାରେ ପୋଲିସ ୩ଜଣଙ୍କୁ ଅଟକ ରଖିଛି। ତଦନ୍ତରେ ବାଧା ଉପୁଜିବା କାରଣରୁ ସେମାନଙ୍କ ନଁ। ପ୍ରକାଶ କରିବାକୁ ମନା କରିଛି। ଏ ନେଇ ଗୋଲକ ଥାନାରେ ଅଭିଯୋଗ କରିଛନ୍ତି।
ଅଭିଯୋଗ ଅନୁଯାୟୀ, ଗୋଲକ ଓ ଉକ୍ତ ଅଞ୍ଚଳର ହାଡିଆଙ୍କ ମଧ୍ୟରେ ପୂର୍ବରୁ ଶତ୍ରୁତା ଲାଗି ରହିଥିଲା। ଗୋଲକ ଓ ତାଙ୍କ ଭାଇ ପଦ୍ମନାଭଙ୍କର ଅଶ୍ୱିନୀ ହସ୍ପିଟାଲ ପାଖରେ ଦୁଇଟି ଦୋକାନ ଥିଲା। ସେଥିରେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିଲେ। ଏଥିରେ ହାଡିଆଙ୍କ ସମ୍ପୃକ୍ତି ଥିବା ନେଇ ଗୋଲକ ଓ ପଦ୍ମନାଭ ସନ୍ଦେହ କରିବା ସହ ଏହାକୁ ନେଇ ସେମାନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ପୂର୍ବରୁ ହାଡ଼ିଆଙ୍କ ନାମରେ ଏକାଧିକ ଆପରାଧିକ ମାମଲା ରହିଥିବାବେଳେ ସେ କିଛିଦିନ ତଳେ ଜେଲ୍‌ରୁ ଫେରିଥିଲେ। ବୁଧବାର ଅପରାହ୍ନ ୧ଟାରେ ହାଡିଆ ଓ ତାଙ୍କ ଦୁଇ ଜ୍ୱାଇଁ ଦୁଇଟି ବାଇକ୍‌ରେ ଗଳିମୁଣ୍ଡରେ ଆସି ପହଞ୍ଚତ୍ଥିଲେ। ଦୁଇ ଜ୍ୱାଇଁ ଗାଡ଼ି ଷ୍ଟାର୍ଟ କରି ଛିଡ଼ା ହୋଇଥିବାବେଳେ ହାଡିଆ ପ୍ରଥମେ ଲିକୁନାଙ୍କ ଘର ଉପରକୁ ଗୋଟିଏ ବୋମା ଫିଙ୍ଗିଥିଲେ। ପରେ ଗୋଲକଙ୍କ ଘର ଉପରକୁ ତିନୋଟି ବୋମାମାଡ଼ କରିଥିଲେ। ସେଥିରୁ ଦୁଇଟି ବୋମା ଫୁଟିଥିଲା ବୋଲି ଗୋଲକ ଅଭିଯୋଗପତ୍ରରେ ଦର୍ଶାଇଛନ୍ତି। ବୋମାମାଡ ଶବ୍ଦ ଶୁଣି ସ୍ଥାନୀୟ ଲୋକେ ଭୟଭୀତ ହୋଇପଡିଥିଲେ। ସୂଚନାଯୋଗ୍ୟ, କିଛିଦିନ ତଳେ ଖାନ୍‌ନଗରରେ ବୋମାମାଡ ହୋଇଥିଲା। ଆଗକୁ ପାର୍ବଣ ଆସୁଥିବାବେଳେ ପୁଣି ବୋମାମାଡ଼ ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି।
ଏ ନେଇ ଗୋଲକ କହିଛନ୍ତି, ଉକ୍ତ ଘଟଣା ପରଠାରୁ ମୁଁ ଓ ମୋ ପରିବାର ଭୟଭୀତ ଅବସ୍ଥାରେ ରହିଛୁ। ହାଡିଆ ଜଣେ ବଡ଼ ଗୁଣ୍ଡା ଓ ତାଙ୍କ ପାଖରେ ଅର୍ଥବଳ ରହିଛି। ତେଣୁ ସେ ଆଗକୁ ଆମର ଅନେକ କ୍ଷତି ଘଟାଇପାରେ। ପୋଲିସ ତାଙ୍କୁ କଠୋର ଦଣ୍ଡ ଦେବା ସହ ଆମକୁ ସୁରକ୍ଷା ପ୍ରଦାନ କରୁ। ସ୍ଥାନୀୟ ବାସିନ୍ଦା ସୁରେନ୍ଦ୍ର ପରିଡା କୁହନ୍ତି, ଘଟଣା ଘଟିବା ସମୟରେ ଛୋଟ ପିଲାମାନେ ଚଳପ୍ରଚଳ ହେଉଥିଲେ। ଠାକୁରଙ୍କ କୃପାରୁ କାହାର କିଛି କ୍ଷତି ହୋଇନି। ଏ ସମ୍ପର୍କରେ ଡିସିପି ଅଖିଳେଶ୍ୱର ସିଂ କହିଛନ୍ତି, ତଦନ୍ତ ସରିବା ପରେ ଯାହା କହିହେବ।

Share