ପୂର୍ବ ଶତ୍ରୁତାରୁ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ ଘଟଣା: ଅଭିଯୁକ୍ତଙ୍କୁ ଧରିବା ଦାବିରେ ଥାନା ସମ୍ମୁଖରେ ଧାରଣା

ଗୋପ, ୨୭।୮(ଡି.ଏନ୍‌.ଏ.)-ପୂର୍ବ ଶତ୍ରୁତାରୁ ଜଣେ ମହିଳାଙ୍କ ଆକ୍ରମଣ ପରେ ତାଙ୍କୁ ମୃତ୍ୟୁ ହୋଇଥିଲା। ଏହି ଘଟଣାକୁ ୨୨ ଦିନ ବିତିଥିଲେ ବି ପୋଲିସ ଅପରାଧୀଙ୍କୁ ଧରିବାରରେ ସକ୍ଷମ ହୋଇପାରିନାହିଁ। ଏହାର ପ୍ରତିବାଦରେ ମଙ୍ଗଳବାର ଅପରାହ୍ନରେ ଗୋପ ଥାନା ସମ୍ମୁଖରେ ମୃତ ମହିଳାଙ୍କ ସ୍ବାମୀ ଶ୍ରୀକାନ୍ତ ସାହୁଙ୍କ ସହ ପରିବାର ପକ୍ଷରୁ ଧାରଣା ଦିଆଯାଇଥିଲା। ପରେ ନୂତନ ଭାବେ ଯୋଗ ଦେଇଥିବା ଥାନାଧିକାରୀ ସୁଧୀର କୁମାର ସାହୁ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯିବାର ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। ଗୋପ ଥାନା ଅଧୀନ ଓଟାଙ୍ଗ ଗ୍ରାମର ଶ୍ରୀକାନ୍ତ ଓ କାଶୀନାଥ ସାହୁଙ୍କ ମଧ୍ୟରେ ପାରିବାରିକ ଏବଂ ଜମିଜମା ବିବାଦ ଲାଗି ରହିଥିଲା। ଗତ ୫ ତାରିଖ ଦିନ ଶ୍ରୀକାନ୍ତଙ୍କ ଅନୁପସ୍ଥିତିରେ ଯାଆ ରଶ୍ମିତା ଓ ଝିଆରୀ ମାମାଲି ମିଶି ସସ୍ମିତାଙ୍କୁ ଆକ୍ରମଣ କରିଥିଲେ। ଫଳରେ ସସ୍ମିତା ଘଟଣାସ୍ଥଳରେ ଗୁରୁତର ହୋଇପଡ଼ିଥିଲେ। ପରେ ତାଙ୍କୁ ଗୋପ ଡାକ୍ତରଖାନା ଅଣାଯାଇଥିଲା। ମାତ୍ର ତାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ପୁରୀ ସଦର ହସ୍ପିଟାଲକୁ ପଠାଯାଇଥିଲା। ସେଠାରେ ଦୁଇ ଦିନ ଚିକିତ୍ସା ପରେ ଅଧିକ ଚିକିତ୍ସା ଲାଗି କଟକ ବଡ଼ ଡାକ୍ତରଖାନାକୁ ପଠାଯାଇଥିଲା। ସେଠାରେ ୧୩ ତାରିଖ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ସସ୍ମିତାଙ୍କ ମୃତ୍ୟୁ ଘଟିଥିଲା। ଏନେଇ ଥାନାରେ ୧୦୭/୧୯ ନମ୍ବରରେ ଏକ ମାମଲା ରୁଜୁ ହେବା ସହ ଯାଆ ରଶ୍ମିତାଙ୍କୁ ଗିରଫ କରାଯାଇଥିବାବେଳେ ଝିଆରୀ ମାମାଲି ଫେରାର ଅଛନ୍ତି।