ପୂର୍ବ ଶତ୍ରୁତାରୁ ଆକ୍ରମଣ: ଖଣ୍ଡା ଚୋଟରେ ଯୁବକ ମୃତ, ଜଣେ ଅଟକ

କବିସୂର୍ଯ୍ୟନଗର,୧୪ା୧୦-ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ କନିଆରୀ ଗ୍ରାମରେ ରବିବାର ବିଳମ୍ବିତ ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। ସାମାନ୍ୟ ବଚସାକୁ କେନ୍ଦ୍ରକରି ସାଙ୍ଗଙ୍କ ଖଣ୍ଡା ଚୋଟରେ ଜଣେ ଯୁବକଙ୍କ ମତ୍ୟୁ ଘଟିଛି। ମୃତକ ହେଲେ କାର୍ତ୍ତିକ ପ୍ରଧାନ। ଏ ନେଇ ସୋମବାର ସ୍ଥାନୀୟ ପୋଲିସ ନଂ. ୨୪୬/୧୯ରେ ମାମଲା ରୁଜୁ କରି ଅଭିଯୁକ୍ତ ଦିଲୀପ ସାହୁଙ୍କୁ ଅଟକ ରଖିଛି ।
ପ୍ରକାଶ ଯେ, ଦୁଇଦିନ ତଳେ କନିଆରୀ ଗ୍ରାମର କାର୍ତ୍ତିକ ଓ ଦିଲୀପଙ୍କ ମଧ୍ୟରେ ନିଶାସକ୍ତ ଅବସ୍ଥାରେ କୌଣସି ଏକ କଥାକୁ ନେଇ ବଚସା ହୋଇଥିଲା। ଏହାର ପ୍ରତିଶୋଧ ନେବା ପାଇଁ ଦିଲୀପ ସୁଯୋଗ ଖୋଜୁଥିଲେ। ରବିବାର ରାତିରେ କ୍ଲବ ଘରେ କାର୍ତ୍ତିକ ଶୋଇଥିବା ଜାଣି ତାଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ। ଫଳରେ ସେ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁରୁତର କାର୍ତ୍ତିକଙ୍କୁ ଆସିକା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ୨ ଘଣ୍ଟା ପରେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ପୋଲିସ ପହଞ୍ଚତ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇଛି।