ପୂର୍ବ ଶତ୍ରୁତାରୁ ଆକ୍ରମଣ, ୩ ଗୁରୁତର

ବାଲେଶ୍ୱର ଅଫିସ, ୨୭।୬-ବାଲେଶ୍ୱର ସଦର ଥାନା ମୁଣ୍ଡାପାଳ ହାଟ ନିକଟରେ ବୁଧବାର ରାତି ପ୍ରାୟ ସାଢେ ୧୦ଟା ବେଳେ ପୂର୍ବ ଶତ୍ରୁତାକୁ ନେଇ ଦୁଇଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏଥିରେ ୨ଜଣ ଆହତ ହୋଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ବେଳେ ଜଣେ ଗୁରୁତରଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି।
ବୁଆଁଳ ଗ୍ରାମର ରବିପ୍ରିୟ ବେହେରା (୨୪) ବାଲେଶ୍ୱର ସହରରୁ ୨ଜଣ ସାଙ୍ଗଙ୍କ ସହ ଘରକୁ ଫେରୁଥିଲେ। ମୁଣ୍ଡାପାଳ ହାଟ ନିକଟରେ ଅନ୍ୟଗୋଷ୍ଠୀର କେତେକ ଯୁବକ ତାଙ୍କୁ କଥାବାର୍ତ୍ତା କରିବା ବାହାନାରେ ଅଟକାଇଥିଲେ। ପୂର୍ବ ଘଟଣାକୁ କେନ୍ଦ୍ର କରି ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା। କିଛି ସମୟ ପରେ ଅନ୍ୟ ଗୋଷ୍ଠୀର ୪ରୁ ୫ ଜଣ ଯୁବକ ମାରଣାସ୍ତ୍ର ସହ ସେଠାରେ ପହଞ୍ଚତ୍ ଆକ୍ରମଣ କରିଥିଲେ। ଖବରପାଇ ରବିପ୍ରିୟଙ୍କ କେତେକ ସହଯୋଗୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ। ଉଭୟ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଉଗ୍ରରୂପ ଧାରଣ କରିଥିଲା। ଏଥିରେ ରବିପ୍ରିୟ ଓ କୁଡ଼ିଆ ଗ୍ରାମର ବିଶ୍ୱଜିତ୍‌ ସାହୁଙ୍କ ମୁଣ୍ଡରେ ଭୁଜାଲିମାଡ଼ ହୋଇଥିବାବେଳେ ମୁନା ଜେନାଙ୍କ ହାତ ଓ ଶରୀରରେ ବିଭିନ୍ନ ସ୍ଥାନରେ କ୍ଷତ ହୋଇଛି। ୩ ଜଣ ଆହତଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ମାତ୍ର ମୁନାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।
ଗତ ବାସନ୍ତୀ ପୂଜାରେ ଦୁଇଗ୍ରାମ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏ ବାବଦରେ ଦୁଇ ପକ୍ଷରୁ ସଦର ଥାନାରେ ୩ ମାମଲା ରୁଜୁ ହୋଇଥିଲା। ପୋଲିସର ନୀରବତା ଓ ପୂର୍ବ ମାମଲାରେ କାହାରିକୁ ଗିରଫ କରା ନ ଯିବାରୁ ଗଣ୍ଡଗୋଳ ବଢ଼ି ବଢ଼ି ଚାଲିଛି। ଏପରିକି ଗତ ୩ ମାସରେ ପାରିକୁଳ, କୁଡ଼ିଆ, ଛତ୍ରପୁର, ବେଲବାରିଆ ଓ ବୁଆଁଳ ଗ୍ରାମ ମଧ୍ୟରେ ଛକାପଞ୍ଝା ଲାଗି ୫ଥର ଗଣ୍ଡଗୋଳ ଓ ଆକ୍ରମଣ ହୋଇଛି।