ପୃଥକ୍‌ ସଂଗ୍ରହ ହେବ ଓଦା, ଶୁଖିଲା ବର୍ଜ୍ୟ

ଭୁବନେଶ୍ୱର, ୬ା୨ (ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ସଭାଗୃହରେ ବର୍ଜ୍ୟ ସଂଗ୍ରହ ଜନିତ ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଆଗାମୀ ଦିନରେ ଓଦା ଓ ଶୁଖିଲା ବର୍ଜ୍ୟବସ୍ତୁକୁ ପ୍ରତ୍ୟେକ ପରିବାରରୁ ପୃଥକ୍‌ ଭାବେ ସଂଗ୍ରହ କରିବାକୁ ଚାଲୁ ରହିଥିବା ଚେଷ୍ଟା ଅତିଶୀଘ୍ର ଲାଗୁ କରାଯିବ ବୋଲି ସୂଚନା ଦିଆଯାଇଛି। ଆଡିଶନାଲ କମିଶନର ସୁରଥ ଚନ୍ଦ୍ର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ୯ ସଙ୍ଗଠନରୁ ୪୦ ଏସ୍‌ଏଚ୍‌ଜି ସଦସ୍ୟା, ୫ ସ୍ବେଚ୍ଛାସେବୀ ସଙ୍ଗଠନ, ୱାର୍ଡ ଅଫିସର ଏବଂ ସାନିଟାରି ଇନ୍ସପେକ୍ଟର ଯୋଗ ଦେଇଥିଲେ।
ଭୁବନେଶ୍ୱରରେ ୪୩ ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର (ଏମ୍‌ସିସି) ଏବଂ ୧୦ ମ୍ୟାଟେରିଆଲ୍‌ ରିକଭରି ଫ୍ୟାସିଲିଟି ସେଣ୍ଟର (ଏମ୍‌ଆର୍‌ଏଫ୍‌) କାମ ଆଗେଇ ଚାଲିଛି। ୧୨ ନଂ. ଏବଂ ୧୭ ନଂ ୱାର୍ଡରେ ପ୍ରଥମ କରି ଏହି କାର୍ଯ୍ୟ ଆରମ୍ଭ କରିବାକୁ ଲକ୍ଷ୍ୟ ରଖାଯାଇଛି। ଚୟନ ହୋଇଥିବା ଏସ୍‌ଏଚ୍‌ଜି ମହିଳାମାନେ କିଭଳି ଘରକୁ ଘର ବୁଲି ବର୍ଜ୍ୟର ପୃଥକୀକରଣ ବାବଦରେ ଲୋକଙ୍କୁ ବୁଝାଇବେ ସେ ବାବଦରେ କୁହାଯାଇଥିଲା। ତେବେ ରାଜ୍ୟର ଅନ୍ୟ ପୌରସଂସ୍ଥାଙ୍କଠାରୁ ବିଏମ୍‌ସି ସର୍ବାଧିକ ଏମ୍‌ସିସି କରିବାକୁ ଯାଉଥିବାବେଳେ ସାଧାରଣ ଲୋକଙ୍କ ସହଯୋଗ ଲୋଡ଼ିଛି ବିଏମ୍‌ସି।
ଆସନ୍ତା ସପ୍ତାହରେ ବିଏମ୍‌ସିର ୧୨ ନଂ. ଏବଂ ୧୭ ନଂ ୱାର୍ଡ଼ରୁ ପୃଥକ୍‌ ଭାବେ ବର୍ଜ୍ୟ ସଂଗ୍ରହ ପାଇଁ ବିଏମ୍‌ସି କର୍ତ୍ତୃପକ୍ଷ ନକ୍ସା ପ୍ରସ୍ତୁତି କରିଛନ୍ତି। ପ୍ରାରମ୍ଭରୁ ଏକ ସୁସ୍ଥ ବାତାବରଣ ମଧ୍ୟରେ ଏହା ଆରମ୍ଭ କରାଯିବ ବୋଲି ଡେପୁଟି କମିଶନର (ପରିମଳ) ଶୁଭେନ୍ଦୁ କୁମାର ସାହୁ କହିଛନ୍ତି। ଉକ୍ତ ଦୁଇ ୱାର୍ଡକୁ ସମୁଦାୟ ୯ କ୍ଲଷ୍ଟର୍‌ରେ ଭାଗ କରାଯାଇଛି। ପ୍ରତ୍ୟେକ କ୍ଲଷ୍ଟର୍‌ ପାଇଁ ସ୍ବେଚ୍ଛାସେବୀ ରହିଛନ୍ତି। ପ୍ରଥମ ପର୍ଯ୍ୟାୟରେ ନିୟମିତ ଭାବେ ପୃଥକ୍‌ କରି ବର୍ଜ୍ୟ ରଖିବାରେ ଆଗେଇ ଆସୁଥିବା ପରିବାରଙ୍କୁ ସ୍ବଚ୍ଛ ଗୃହର ଆଖ୍ୟା ଦିଆଯିବ ବୋଲି ଜୋନାଲ୍‌ ଡେପୁଟି କମିଶନର ପ୍ରମୋଦ କୁମାର ପୃଷ୍ଟି କହିଛନ୍ତି।

Share