ପୃଥକ୍‌ ୨ ଡକାୟତି ଉଦ୍ୟମ: ୯ ଅଭିଯୁକ୍ତ ଗିରଫ, ମାରଣାସ୍ତ୍ର ଜବତ

ଝାରସୁଗୁଡ଼ା ଅଫିସ/ଲଖନପୁର, ୭।୧୦(ଡି.ଏନ୍‌.ଏ.): ଝାରସୁଗୁଡ଼ା ଜିଲାରେ ଗତ ରବିବାର ରାତିରେ ପୃଥକ୍‌ ଭାବେ ୨ଟି ସ୍ଥାନରେ ଡକାୟତି ଉଦ୍ୟମ ହୋଇଥିଲା। ବିଶେଷ ସୂତ୍ରରୁ ଖବରପାଇ ପୋଲିସ ବଡ଼ଧରଣର ସଶସ୍ତ୍ର ଡକାୟତି ଉଦ୍ୟମକୁ ପଣ୍ଡ କରିଛି । ପୋଲିସ ଉଭୟ ଗୋଷ୍ଠୀର ୯ଜଣଙ୍କୁ ଗିରଫ କରିଥିବା ବେଳେ ଜଣେ ଫେରାର ହୋଇଯାଇଛି। ଅଭିଯୁକ୍ତଙ୍କ ନିକଟରୁ ୨ ବନ୍ଧୁକ, ଭୁଜାଲି, ଖଣ୍ଡା, ଲୁହାଛଡ଼ ସହ ୫ ବାଇକ୍‌ ଜବତ କରାଯାଇଛି । ଏ ନେଇ ପୋଲିସ ଝାରସୁଗୁଡା ଓ ଓରିଏଣ୍ଟ ଥାନାରେ ୨ଟି ମାମଲା ରୁଜୁକରି ତଦନ୍ତ ଚଳାଇଛି।
ପ୍ରକାଶ ଯେ, ଝାରସୁଗୁଡ଼ାସ୍ଥିତ ଆଇଓସିଏଲ୍‌ ପ୍ଲାଣ୍ଟ ନିକଟ ଜଙ୍ଗଲରେ କେତେଜଣ ଡକାୟତ ଡକାୟତି ପାଇଁ ଯୋଜନା କରୁଥିବା ତାଳପଟିଆ ଫାଣ୍ଡି ପୋଲିସ ବିଶେଷ ସୂତ୍ରରୁ ଜାଣିବାକୁ ପାଇଥିଲା। ଏଣୁ ଏକ ପୋଲିସ ଟିମ୍‌ ପହଞ୍ଚି ଡକାୟତଙ୍କୁ କାବୁ କରିଥିଲେ।
ସେହିପରି ଓରିଏଣ୍ଟ ଥାନା ଅଞ୍ଚଳରେ ଥିବା ଏମ୍‌ସିଏଲ୍‌ର ଏକ ପରିତ୍ୟକ୍ତ କୋଇଲା ଖଣି ଅଞ୍ଚଳରେ କେତେକ ଯୁବକ ଡକାୟତି ଯୋଜନା କରିଥିଲେ। ଖବରପାଇ ଓରିଏଣ୍ଟ ଥାନାର ଏକ ସ୍ବତନ୍ତ୍ର ପୋଲିସ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୋଲିସ ୪ଜଣଙ୍କୁ ଧରିବାରେ ସଫଳ ହୋଇଥିବାବେଳେ ଜଣେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଛନ୍ତି। ଏ ସମ୍ପର୍କରେ ଏସ୍‌ପି ଅଶ୍ବନୀ କୁମାର ମହାନ୍ତି ଖବରଦାତା ସମ୍ମିଳନୀରେ ଗଣମାଧ୍ୟମକୁ ସବିଶେଷ ତଥ୍ୟ ପ୍ରଦାନ କରିଛନ୍ତି ।