ପୃଥକ୍‌ ସଡ଼କ ଦୁର୍ଘଟଣା: ୨ ମୃତ

ଭୁବନେଶ୍ୱର, ୪।୧(ବ୍ୟୁରୋ): ରାଜଧାନୀରେ ମଙ୍ଗଳବାର ପୃଥକ୍‌ ପୃଥକ୍‌ ସ୍ଥାନରେ ସଡ଼କ ଦୁର୍ଘଟଣା ଘଟି ଦୁଇଜଣଙ୍କର ଜୀବନ ଯାଇଛି। ଗୋଟିଏ ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ହାଇଟେକ୍‌ ଛକରେ ଏବଂ ଅନ୍ୟଟି ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ନାଲ୍‌କୋ ଛକରେ ଘଟିଛି। ହାଇଟେକ ଛକରେ ଏକ ଟ୍ରକ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଅନୁଗୋଳ ଜିଲା ବଅଁରପାଳ ଥାନା ଅନ୍ତର୍ଗତ ବୁଢାପଙ୍କ ଗ୍ରାମର କାଳିଆ ଓରଫ ଦେବାଶିଷ ପ୍ରଧାନ (୨୩)। ସେହିପରି ନାଲ୍‌କୋ ଛକରେ ଯାତ୍ରୀବାହୀ ବସ୍‌ ଧକ୍କାରେ ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ରାଧାକୃଷ୍ଣ ଲେନ ବସ୍ତିର ଫୁଲ ବିନ୍ଧାଣୀ (୪୫)ଙ୍କ ମୃତ୍ୟୁ ଘଟିଛି। ଉକ୍ତ ୨ଟି ସ୍ଥାନରେ ଦୁର୍ଘଟଣା ଯୋଗୁ କିିଛି ସମୟ ଟ୍ରାଫିକ ଜାମ୍‌ ହେବା ସହ ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଯାତାୟାତ ସ୍ବାଭାବିକ କରିଥିଲା।
ସୂଚନାନୁଯାୟୀ, ଅପରାହ୍ନରେ ଫୁଲ ନାଲ୍‌କୋ ଅଫିସ ପାର୍ଶ୍ୱରୁ ଅପରପଟକୁ ଚାଲିଚାଲି ଯାଉଥିଲେ। ଏହି ସମୟରେ ପ୍ରେସ୍‌ ଛକ ପଟୁ ଯାଉଥିବା ‘ଶିବଶଙ୍କର’ ନାମକ ଘରୋଇ ବସ୍‌ (ନଂ. ଓଆର୍‌ ୦୫-ଏଡବ୍ଲ୍ୟୁ ୧୧୬୧) ଟ୍ରାଫିକ ଛକରେ ତାଙ୍କୁ ଧକ୍କା ଦେବା ସହ ମୁଣ୍ଡ ଉପରେ ଚଢ଼ିଯାଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଦୁର୍ଘଟଣା ପରେ ବସ୍‌ଟି ରାସ୍ତା ମଝିରେ ଅଟକି ରହିବାରୁ ସେଠାରେ ଟ୍ରାଫିକ ଜାମ୍‌ ହୋଇଥିଲା। ଏହାର ସୁଯୋଗ ନେଇ ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଥିଲେ। ଦୁର୍ଘଟଣା ପରେ ସେଠାରେ ଚାପା ଉତ୍ତେଜନା ଦେଖାଦେବା ସହ କ୍ଷତିପୂରଣ ଦାବିରେ ଲୋକେ ରାସ୍ତାରୋକୋ କରିଥିଲେ। ଖବର ପାଇ କମିଶନରେଟ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ପୋଲିସ ବସ୍‌ ଜବତ କରି ଥାନାକୁ ନେବା ସହ ପରେ ତଦନ୍ତ କରି ଡ୍ରାଇଭରଙ୍କୁ ଅଟକ ରଖିଥିବା ସୂଚନା ମିଳିଛି।
ସେହିପରି ଅନ୍ୟ ଏକ ଘଟଣାରେ ଅପରାହ୍ନରେ ହାଇଟେକ ଛକ ରାସ୍ତା ଦେଇ ବାଇକ (ନଂ. ଓଡିି ୧୯ବି ୩୨୪୬) ଯୋଗେ ବଅଁରପାଳର ଦେବାଶିଷ କଟକ ଫେରୁଥିଲେ। ଏହି ସମୟରେ ତାଙ୍କୁ ପଛପଟୁ ଏକ ଟ୍ରକ (ନଂ. ଓଡି ୦୪ ଏଲ୍‌ ୦୯୯୦) ଧକ୍କା ଦେଇଥିଲା। ସେଠାରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଦୁର୍ଘଟଣା ଘଟାଇ ଟ୍ରକ ଚାଳକ ଖସି ପଳାଇବାକୁ ଉଦ୍ୟମ କରୁଥିଲେ। ତେବେ ସ୍ଥାନୀୟ ଲୋକେ ଗାଡ଼ି ଅଟକାଇ ତାଙ୍କୁ ମାଡ଼ ମାରିବା ପରେ ପୋଲିସ ଜିମା ଦେଇଥିଲେ। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ଲାଗି କ୍ୟାପିଟାଲ ହସ୍ପିଟାଲକୁ ପଠାଇବା ସହ ଟ୍ରକକୁ ଜବତ କରି ତଦନ୍ତ ଜାରି ରଖିଛି।

Share