Categories: ଗଞ୍ଜାମ

ପୃଥକ ଦୁର୍ଘଟଣା: ୨ ମୃତ

ବ୍ରହ୍ମପୁର ଅଫିସ, ୨୦।୭: ବାଇକରୁ ଖସି ପୃଥକ ଘଟଣାରେ ୨ ଜଣଙ୍କର ଏମ୍‌କେସିଜି ମେଡିକାଲରେ ମୃତ୍ୟୁ ଘଟିଛି। ସେମାନେ ହେଲେ ଦିଗପହଣ୍ଡି ଥାନା ଅନ୍ତର୍ଗତ କୃଷ୍ଣକୃପାମୟପୁର ଗ୍ରାମର ବାଙ୍କି ଦଳାଇ(୫୫) ଓ ସଦର ଥାନା ଅନ୍ତର୍ଗତ ଚଣ୍ଡୀପଦର ଗାଁର ମଞ୍ଜୁ ଦାସ(୪୫)।
ପ୍ରକାଶ ଯେ, ଶୁକ୍ରବାର ବାଙ୍କି ଦଳାଇ ନିଜ ପୁଅଙ୍କ ସହ ବାଇକ୍‌ ଯୋଗେ ଗାଡ଼ିରେ ଦିଗପହଣ୍ଡିରୁ ନିଜ ଗାଁ କୃଷ୍ଣକୃପାମୟପୁର ଅଭିମୁଖେ ଯାଉଥିଲେ। ରାସ୍ତାରେ ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା। ଫଳରେ ସେ ଗାଡିରୁ ଖସି ପଡ଼ିଥିଲେ। ବାଙ୍କିଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଏମ୍‌କେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ରାତିରେ ବାଙ୍କିଙ୍କର ମୃତ୍ୟୁ ଘଟିଛି।
ସେହିପରି ଅନ୍ୟ ଏକ ଘଟଣାରେ ମଞ୍ଜୁ ଦାସ ଶନିବାର ସକାଳେ କୌଣସି ଏକ କାମରେ ନିଜର ସମ୍ପର୍କୀୟଙ୍କ ଘରକୁ ସ୍ବାମୀଙ୍କ ସହ ବାଇକରେ ଯାଉଥିଲେ। ଭାଟକୁମରଡ଼ା ନିକଟରେ ଏକ ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା। ଫଳରେ ମଞ୍ଜୁ ଗାଡ଼ିରୁ ଛିଟିକି ତଳେ ପଡ଼ିଯାଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଏମ୍‌କେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଏ ନେଇ ମେଡିକାଲ ଫାଣ୍ଡି ଅଧିକାରୀ ଜନ୍ମଜୟ ମଲ୍ଲିକ ସୂଚନା ଦେଇଛନ୍ତି। ଫାଣ୍ଡି ପୋଲିସ ଶନିବାର ୨ଟି ଯାକ ମୃତଦେହ ଉଦ୍ଧାର କରି (୩୯୦/୧୯ ଓ ୩୯୨/୧୯)ରେ ମାମଲା ରୁଜୁ କରିଛି।