ପୃଥିବୀଠାରୁ ବଡ଼ ଗ୍ରହର ମିଳିଲା ସନ୍ଧାନ: ମାତ୍ର ୩୭ ଦିନରେ ହେଉଛି ଏକ ବର୍ଷ

ଓ୍ବାଶିଂଟନ୍‌, ୯।୧: ପୃଥିବୀଠାରୁ ଏକ ବଡ଼ ଗ୍ରହର ସନ୍ଧାନ ମିଳିଛି। ଏଲିଅନ୍‌ଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରୁଥିବା ସ୍ପେସକ୍ରାଫ୍ଟର ଟେଲିସ୍କୋପ୍‌ ଦ୍ୱାରା ଏହି ଗ୍ରହର ଉପସ୍ଥିତି ବିଷୟରେ ଜଣାପଡ଼ିଛି। ଏହା ପୃଥିବୀଠାରୁ ଶହେ ଆଲୋକ ବର୍ଷ ଦୂରରେ ରହିଛି। ଗ୍ରହର ଆକାର ପୃଥିବୀର ଆକାର ତୁଳନାରେ ୨୦ ପ୍ରତିଶତ ଅଧିକ ବୋଲି ନାସା ପକ୍ଷରୁ ସୂଚନା ଦିଆଯାଇଛି। ଏହି ଗ୍ରହକୁ ଟିଓଆଇ-୭୦୦-ଡି ଭାବେ ନାମ କରଣ କରାଯାଇଛି। ଏହା ବାସଯୋଗ୍ୟ ବୋଲି ନାସାର କିଛି ମହାକାଶ ବିଜ୍ଞାନୀ ମତପୋଷଣ କରିଛନ୍ତି। ଏଠାରେ ଜଳ ରହିଥିବା କୁହାଯାଉଛି। ଗ୍ରହର ନିଜର ଏକ ସୂର୍ଯ୍ୟ ରହିଛି। ଏହା ଚାରିପଟେ ଘୂରିବା ଲାଗି ଗ୍ରହଟି ମାତ୍ର ୩୭ ଦିନ ନେଉଛି। ଅର୍ଥାତ୍‌ ଏଠାରେ ୩୭ ଦିନରେ ଗୋଟିଏ ବର୍ଷ ହେଉଛି। ପୃଥିବୀର ସୌରମଣ୍ଡଳରେ ଥିବା ସୂର୍ଯ୍ୟ ତୁଳନାରେ ଟିଓଆଇ-୭୦୦-ଡିର ସୂର୍ଯ୍ୟ କମ୍‌ ପରିମାଣର ଶକ୍ତି ପ୍ରଦାନ କରୁଛି। ଏଠାରେ କମ୍‌ ଗରମ ଅନୁଭୁତ ହେଉଥିବା ମହାକାଶ ବିଜ୍ଞାନୀ କହିଛନ୍ତି। ଏଠାରେ ବାସ ଉପଯୋଗୀ ଟିଓଆଇ-୭୦୦-ବି ଏବଂ ଟିଓଆଇ-୭୦୦-ସି ଗ୍ରହ ମଧ୍ୟ ରହିଥିବା ଜଣାପଡ଼ିଛି।

Share