ପୃଥିବୀରୁ ଶେଷ ହୋଇ ନ ପାରେ କରୋନା ମହାମାରୀ: ଡବ୍ଲ୍ୟୁଏଚ୍‌ଓ

ଜେନେଭା,୧୪।୫: କରୋନା ମହାମାରୀ ଯୋଗୁ ପୃଥିବୀରେ ସଙ୍କଟଜନକ ସ୍ଥିତି ସୃଷ୍ଟି ହେବାରେ ଲାଗିଛି। ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ବଢୁଥିବାରୁ ଅନ୍ତର୍ଜାତୀୟସ୍ତରରେ ଚିନ୍ତା ବଢୁଛି। ଏପରିସ୍ଥଳେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ କୁହାଯାଇଛି ଯେ, ସମ୍ଭବତଃ କରୋନା ମହାମାରୀ ଶେଷ ହୋଇ ନ ପାରେ। କରୋନା ଭୂତାଣୁ ବାରମ୍ବାର ନିଜର ସଂରଚନାରେ ପରିବର୍ତ୍ତନ ଆଣୁଥିବାରୁ ଏହାର ମୁକାବିଲା କଷ୍ଟକର ହୋଇପଡୁଛି ବୋଲି ଡବ୍ଲ୍ୟୁଏଚ୍‌ଓର ଆପାତ୍‌କାଳୀନ ମୁଖ୍ୟ ମାଇକେଲ ରାୟନ କହିଛନ୍ତି। ଆଗାମୀ ଦିନରେ କରୋନାର ଅନ୍ୟ କୌଣସି ପରିବର୍ତ୍ତିତ ରୂପ ପୃଥିବୀରେ ପୁଣି ମହାମାରୀ ସୃଷ୍ଟି କରିବାର ଯଥେଷ୍ଟ ଆଶଙ୍କା ରହିଛି। ତେଣୁ କରୋନା ମହାମାରୀର ଅନ୍ତ କେବେ ଘଟିବ ସେ ନେଇ ସଠିକ ଭାବେ କହିହେବ ନାହିଁ। ସେହିପରି ଡବ୍ଲ୍ୟୁଏଚ୍‌ଓର ମାନସିକ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଉଲ୍ଲେଖ ହୋଇଛି ଯେ, ଖୁବ୍‌ ଶୀଘ୍ର ପୃଥିବୀରେ ମାନସିକ ଅବସାଦ ରୋଗୀଙ୍କ ସଂଖ୍ୟା ବଢ଼ିବାର ଆଶଙ୍କା ରହିଛି। କରୋନା ସଂକ୍ରମଣ ଏବଂ ଲକ୍‌ଡାଉନ୍‌ ଯୋଗୁ ଲୋକଙ୍କ ମଧ୍ୟରେ ଅନିଶ୍ଚିତତା ଲାଗି ରହିବା ସହିତ ସେମାନଙ୍କର ଆର୍ଥିକ ସ୍ଥିତି ମଧ୍ୟ ସଙ୍କଟରେ ପଡ଼ିଛି। ଫଳରେ ଲୋକଙ୍କ ମାନସିକ ଅବସ୍ଥା ଧୀରେଧୀରେ ଖରାପ ହେବାକୁ ଲାଗିଛି ବୋଲି ଡବ୍ଲ୍ୟୁଏଚ୍‌ଓର ମାନସିକ ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ଡଓ୍ବେରା କେଷ୍ଟଲ୍‌ ସତର୍କ ସୂଚନା ଦେଇଛନ୍ତି।

Share