Advertisement

ପୃଥିବୀରେ କରୋନା ସଂକ୍ରମଣ କରାଇ ବି ଚାଇନାର ମନରେ ନାହିଁ ଅବଶୋଷ: ବନ୍ଦକଲା ମେକାଙ୍ଗ୍‌ ନଦୀର ପାଣି; ୪ ଦେଶରେ ମରୁଡ଼ି !

ବେଜିଂ,୧୫।୪: ପୃଥିବୀ ସାରା କରୋନା ସଂକ୍ରମଣ କରାଇଥିବା ଚାଇନା ମନରେ ଏବେ ମଧ୍ୟ ଅବଶୋଷ ନାହିଁ। ଏହାର ପ୍ରମାଣ ପାଲଟଛି ଚାଇନାର ଅମାନବୀୟ କାର୍ଯ୍ୟ। ଚାଇନା ମେକାଙ୍ଗ୍‌ ନଦୀର ପାଣିକୁ ରୋକି ଦେଇଛି। ଏହି ନଦୀ ଥାଇଲାଣ୍ଡ୍‌, ଲାଓସ, କାମ୍ବୋଡ଼ିଆ ଏବଂ ଭିଏତ୍‌ନାମ୍‌ ଆଦି ଦେଶରେ ପ୍ରବାହିତ ହୋଇଥାଏ। ପାଣିର ଅଭାବରେ ଏହି ୪ ଦେଶରେ ଏବେ ମରୁଡ଼ି ଅବସ୍ଥା ସୃଷ୍ଟି ହୋଇଛି। ଦକ୍ଷିଣପୂର୍ବ ଏସିଆ ଦେଶଗୁଡ଼ିକ ପାଇଁ ମେକାଙ୍ଗ୍‌ ନଦୀ ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ପାଣି ଚାଇନା ସରକାର ବନ୍ଦ କରିବାରୁ ଏହି ୪ ଦେଶର ଚାଷୀ ଏବଂ ଧୀବର ମୁଣ୍ଡରେ ହାତ ଦେଇ ବସିଛନ୍ତି। ଚାଇନାରେ ନଦୀ କାର୍ଯ୍ୟ ଜାରି ରହିଥିବାରୁ ମେକାଙ୍ଗ ଜଳସ୍ରୋତ କମିବାରେ ଲାଗିଥିବା କୁହାଯାଉଛି। ପୂର୍ବରୁ ଫେବୃୟାରୀରେ ଚାଇନା ବହିର୍ବ୍ୟାପାର ମନ୍ତ୍ରୀ ଓ୍ବାଙ୍ଗ ୟି ସୂଚନା ଦେଇଥିଲେ ଯେ, ଚାଷୀ ଏବଂ ଧୀବରଙ୍କ ସମସ୍ୟା ନେଇ ସେ ଚିନ୍ତାରେ ପଡ଼ିଛନ୍ତି। ତେବେ ମେକାଙ୍ଗ୍‌ ନଦୀରେ ପାଣି କମ୍‌ ଥିବାରୁ ଚାଇନାରେ ଚଳିତ ବର୍ଷ ମରୁଡ଼ି ପଡ଼ିଛି। ତେଣୁ ପାଣି ରୋକିବାକୁ ଚାଇନା ସରକାର ବାଧ୍ୟ ହୋଇଛନ୍ତି। ଚାଇନାର ଏଭଳି ମନ୍ତବ୍ୟକୁ ଆମେରିକା ଜଳବାୟୁ ବିଶେଷଜ୍ଞ ଏଲନ୍‌ ବସିଷ୍ଟ ଖଣ୍ଡନ କରିଛନ୍ତି। ସେମାନେ କହିଛନ୍ତି ଯେ, ଏହା ପୂର୍ବରୁ ବହୁଥର ଚାଇନାରେ ମରୁଡ଼ି ସ୍ଥିତି ଦେଖାଦେଇଛି। କିନ୍ତୁ ସମ୍ପ୍ରତି ତିବ୍ବତରୁ ବାହାରିଥିବା ମେକାଙ୍ଗ୍‌ ନଦୀର ସ୍ରୋତକୁ ଚାଇନା ଇଞ୍ଜିନିୟର ମାନେ ଜାଣିଶୁଣି ଧୀମା କରିଦେଇଛନ୍ତି। ଏହାଯୋଗୁ ନଦୀରେ ଜଳ ସମସ୍ୟା ଦେଖାଦେଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share