Categories: ଜାତୀୟ

ପୃଥିବୀର ୧୦ ଦେଶରେ ଲାଗୁ ହୋଇଛି ଏକ ଦେଶ ଏକ ନିର୍ବାଚନ ଆଇନ: ଭାରତରେ ହୋଇଛି ଏପରି ୪ ଥର

ନୂଆଦିଲ୍ଲୀ, ୧୯।୬: ଏକ ଦେଶ ଏକ ନିର୍ବାଚନ ନେଇ ଏବେ ଚର୍ଚ୍ଚା ଜାରି ରହିଛି। ଏହାଦ୍ୱାରା ଲୋକ ସଭା ଏବଂ ବିଭିନ୍ନ ରାଜ୍ୟର ବିଧାନସଭା ନିର୍ବାଚନ ଏକା ସାଙ୍ଗରେ କରାଯାଇପାରିବ। ତେବେ ଏନେଇ ବିଭିନ୍ନ ରାଜନୈତିକ ଦଳ ଏହାର ସପକ୍ଷ ଏବଂ ବିରୋଧରେ ମତ ଦେଉଛନ୍ତି। ପୂର୍ବରୁ ଭାରତରେ ଏଭଳି ୪ ଥର ନିର୍ବାଚନ ହୋଇସାରିଛି। ୧୯୫୨, ୧୯୫୭, ୧୯୬୨ ଏବଂ ୧୯୬୭ରେ ଏଭଳି ନିର୍ବାଚନ ହୋଇଛି। ତେବେ ୧୯୬୮-୬୯ପରଠାରୁ ଏହା ବନ୍ଦ ରହିଛି। କେତେକଙ୍କ ଅନୁସାରେ ଦେଶର ଜନସଂଖ୍ୟା ବଢ଼ିଥିବାରୁ ଏକ ସାଙ୍ଗେ ଲୋକ ସଭା ଏବଂ ସମସ୍ତ ରାଜ୍ୟର ବିଧାନସଭା ନିର୍ବାଚନ କରିବା ସମ୍ଭବ ନୁହେଁ। ଦେଶରେ ବାରମ୍ବାର ନିର୍ବାଚନ ହେବାରୁ କେତେକ ନୀତିଗତ ଏବଂ ପ୍ରଶାସନିକ ସମସ୍ୟା ସୃଷ୍ଟି ହେଉଥିବା କେତେକ ରାଜନୈତିକ ଦଳ କହିଥାନ୍ତି। ଯଦି ୨୦୨୪ରେ ଏହି ନିୟମ ଅନୁସାରେ ଏକ ସାଙ୍ଗେ ଲୋକ ସଭା ଏବଂ ସମସ୍ତ ରାଜ୍ୟର ବିଧାନସଭା ନିର୍ବାଚନ କରାଯାଏ ତେବେ ସରକାରଙ୍କୁ ୧୭୫୧.୧୭ କୋଟି ଟଙ୍କା କେବଳ ଇଭିଏମ୍‌ କିଣିବା ପାଇଁ ଖର୍ଚ୍ଚ କରିବାକୁ ପଡ଼ିବ ବୋଲି କୁହାଯାଉଛି। ସାମ୍ବିଧାନିକ ନିୟମ ୩୫୬ ଅନୁସାରେ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ଭଙ୍ଗ କରିବାର ଅଧିକାର ରହିିଛି। ଏହି ଅଧିକାର ଥିବାରୁ ଏକସାଙ୍ଗେ ଲୋକ ସଭା ଏବଂ ସମସ୍ତ ରାଜ୍ୟର ବିଧାନସଭା ନିର୍ବାଚନ କରାଯାଇ ପାରିବ ନାହିଁ ବୋଲି କୁହାଯାଉଛି। ସେଥିପାଇଁ ସମ୍ବିଧାନ ସଶୋଂଧନର ଆବଶ୍ୟକତା ରହିଛି। ଏକାସଙ୍ଗେ ନିର୍ବାଚନ କରିବା ପାଇଁ କେତେକ ରାଜ୍ୟର ବିଧାନସଭା ସମୟ ସୀମାକୁ ବଢ଼ାଯିବା ତଥା କମା ଯିବାର ଆଶଙ୍କା ରହିଛି। ଏହାଦ୍ୱାରା ସମ୍ପୃକ୍ତ ରାଜ୍ୟର ସ୍ବାୟତ୍ତତା ପ୍ରଭାବିତ ହେବ ବୋଲି ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି। ଏଭଳି ବ୍ୟବସ୍ଥା ପୃଥିବୀର ୧୦ଟି ଦେଶରେ ଲାଗୁ ହୋଇଛି। ଇଣ୍ଡୋନେସିଆ, ଦକ୍ଷିଣ ଆଫ୍ରିକା, ଜର୍ମାନୀ, ସ୍ପେନ୍‌, ହଙ୍ଗେରୀ, ସ୍ଲୋଭାନିଆ, ଆଲବେନିଆ, ପୋଲାଣ୍ଡ, ବେଲଜିୟମ୍‌ ଆଦି ଦେଶରେ ଏକସାଙ୍ଗେ ନିର୍ବାଚନ କରାଯିବାର ପରମ୍ପରା ରହିଛି।

Share