ପୃଥିବୀ ଭଳି ଗ୍ରହର ସନ୍ଧାନ

ଓ୍ବାଶିଂଟନ,୯ା୬: ବାସଯୋଗ୍ୟ ପୃଥିବୀ ଭଳି ଆଉ ଏକ ଗ୍ରହ ଖୋଜିବାରେ ବୈଜ୍ଞାନିକ ଓ ମହାକାଶ ବିଜ୍ଞାନୀମାନେ ଉଦ୍ୟମ ଚଳାଇଛନ୍ତି। ଏଥିରେ ବିଳମ୍ବ ହେଲେ ବି ସେମାନଙ୍କ ମିଶନକୁ ଏବେ ଗତି ମିଳିଥିବା ଜଣାପଡ଼ିଛି। କାରଣ ପୃଥିବୀ ଭଳି ଆଉ ଏକ ଗ୍ରହର ସନ୍ଧାନ କରାଯାଇଛି, ଯାହାର ନାଁ ହେଲା ‘କେଓଆଇ-୪୫୬.୦୪’। ଜର୍ମାନୀର ଗଟିଂଜେନ୍‌ସ୍ଥିତ ମାକ୍ସ ପ୍ଲାଙ୍କ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଫର୍‌ ସୋଲାର ସିଷ୍ଟମ୍‌ ରିସର୍ଚ୍ଚର ବୈଜ୍ଞାନିକ ଟିମ୍‌ ଜାଣିବାକୁ ପାଇଛନ୍ତି ଯେ, ‘କେଓଆଇ-୪୫୬.୦୪’ର ଆକାର ଏବଂ କକ୍ଷପଥ ଆମେ ବାସ କରୁଥିବା ପୃଥିବୀ ସହିତ ପ୍ରାୟ ସମାନ। ଏହା ସୂର୍ଯ୍ୟ ପରି ଏକ ନକ୍ଷତ୍ର ‘କେପଲର୍‌ ୧୬୦’ର ଗ୍ରହମଣ୍ଡଳରେ ରହିଛି। ଉକ୍ତ ଗ୍ରହମଣ୍ଡଳରେ ତିନୋଟି ଗ୍ରହ ଥିବା ବିଶ୍ୱାସ କରାଯାଉଛି।
ସନ୍ଧାନ ହୋଇଥିବା ଏହି ଗ୍ରହ ସମ୍ପର୍କିତ ଏକ ଅଧ୍ୟୟନ ଅନ୍ତର୍ଜାତୀୟ ଜର୍ନାଲ ‘ଆଷ୍ଟ୍ରୋନୋମି ଆଣ୍ଡ ଆଷ୍ଟ୍ରୋଫିଜିକ୍ସ’ରେ ପ୍ରକାଶ ପାଇଛି। ସେଥିରେ ସମ୍ଭାବ୍ୟ ନୂଆ ପୃଥିବୀ ‘କେଓଆଇ-୪୫୬.୦୪’ର ଗଠନ ବିଷୟରେ କିଛି ସନ୍ଦେହ ସୃଷ୍ଟି କରାଯାଇଛି। କିନ୍ତୁ ତଥ୍ୟକୁ ଆଧାର କରି ଏହା ପୃଥିବୀ ଭଳିି ବାସ ଉପଯୋଗୀ ହୋଇପାରେ ବୋଲି ଆଶା କରାଯାଉଛି। ପୃଥିବୀ ଯେତିକି ଦୂରରେ ସୂର୍ଯ୍ୟକୁ ପରିକ୍ରମା କରୁଛି ‘କେଓଆଇ-୪୫୬.୦୪’ ମଧ୍ୟ ସେତିକି ଦୂରରେ ନିଜର ସୂର୍ଯ୍ୟ ତଥା ‘କେପଲର୍‌ ୧୬୦’କୁ ପରିକ୍ରମା କରୁଛି। ଗୋଟିଏ ସମ୍ପୂର୍ଣ୍ଣ କକ୍ଷପଥ ପରିକ୍ରମା ପାଇଁ ପୃଥିବୀ ୩୬୫ ଦିନ ୬ ଘଣ୍ଟା ସମୟ ନେଉଥିବାବେଳେ ‘କେଓଆଇ-୪୫୬.୦୪’ ୩୭୮ ଦିନରେ ପରିକ୍ରମା କରୁଛି। ପୃଥିବୀ ସୂର୍ଯ୍ୟଠାରୁ ଯେତିକି ଆଲୋକ ପାଇଥାଏ, ତାହା ମଧ୍ୟ ୯୩% ପାଇବ ବୋଲି ବିଶ୍ୱାସ କରାଯାଉଛି। ପୃଥିବୀଠାରୁ ‘କେଓଆଇ-୪୫୬.୦୪’ ପ୍ରାୟ ୩୦୦୦ ଆଲୋକ ବର୍ଷ ଦୂରରେ ରହିଥିବା ଅଧ୍ୟୟନରୁ ଜଣାପଡ଼ିଛି।
କେପ୍‌ଲର ସ୍ପେସ୍‌ ଟେଲିସ୍କୋପ ଦ୍ୱାରା ସଂଗୃହୀତ ତଥ୍ୟ ମାଧ୍ୟମରେ ଗବେଷକମାନେ ‘କେଓଆଇ-୪୫୬.୦୪’ର ସନ୍ଧାନ ପାଇଥିଲେ। ନାସାର ଆଗାମୀ ଜେମ୍ସ ୱେବ୍‌ ସ୍ପେସ୍‌ ଟେଲିସ୍କୋପ ଏବଂ ୨୦୨୬ରେ ଆସିବାକୁ ଥିବା ୟୁରୋପିଆନ ସ୍ପେସ୍‌ ଏଜେନ୍ସିର ପ୍ଲାଟୋ ସ୍ପେସ୍‌ ଟେଲିସ୍କୋପ୍‌ ଦ୍ୱାରା ‘କେଓଆଇ-୪୫୬.୦୪’ ସମ୍ପର୍କରେ ଅଧିକ ସ୍ପଷ୍ଟତା ଜଣାପଡ଼ିବ ବୋଲି ଅନେକ ଆଶା ରହିଛି। ଗ୍ରହ ‘କେଓଆଇ-୪୫୬.୦୪’ରେ ଜୀବନଧାରଣ ପାଇଁ ଆଶା କରାଯାଉଛି। କାରଣ ଏହାର ସୂର୍ଯ୍ୟ ‘କେପଲର୍‌ ୧୬୦’ର ଗଠନ ଆମ ସୂର୍ଯ୍ୟ ସହିତ ସମାନ। ‘କେପଲର୍‌ ୧୬୦’ଠାରୁ ଇନ୍‌ଫ୍ରାଡ୍‌ ବିକିରଣ ଆଶଙ୍କା ବହୁତ କମ୍‌। ଯେହେତୁ ଏହା ଲାଲ ଛୋଟ ତାରା ପରି, ତେଣୁ ‘କେଓଆଇ-୪୫୬.୦୪’ରେ ଜୀବନ ସମ୍ଭବ ହେବ ବୋଲି ବିଶ୍ୱାସ କରାଯାଉଛି।

Share