ପୃଥ୍ବୀରାଜର ଶୁଟିଂ ଆରମ୍ଭ କଲେ ମାନୁଷୀ, ଅକ୍ଷୟଙ୍କ ସହ ଡେବ୍ୟୁ କରିବାର ମିଳିଛି ସୁଯୋଗ

ବମ୍ବେ: ଖୁବ୍‌ଶୀଘ୍ର ବଡ଼ ପରଦାରେ ନଜର ଆସିବେ ମାନୁଷୀ ଛିଲ୍ଲର। ୨୦୧୭ରେ ବିଶ୍ୱ ସୁନ୍ଦରୀ ଆଖ୍ୟା ପାଇବା ପରେ ସେ ସୁଯୋଗ ଅପେକ୍ଷାରେ ରହିଥିଲେ। ଶେଷରେ ସେ ସୁପରଷ୍ଟାର ଅକ୍ଷୟ କୁମାରଙ୍କ ସହ ଫିଲ୍ମ ‘ପୃଥ୍ବୀରାଜ’ରେ ଡେବ୍ୟୁ କରୁଛନ୍ତି। ଚଳଚ୍ଚିତ୍ରରେ ପୃଥ୍ବୀରାଜଙ୍କ ପ୍ରଥମ ସ୍ତ୍ରୀ ସଂୟୋଗିତାଙ୍କ ଭୂମିକାରେ ସେ ନଜର ଆସିବେ। ଏହାର ଶୁଟିଂ ଆରମ୍ଭ ହୋଇଯାଇଛି। ନିଜ ଟୁଇଟର ପୃଷ୍ଠାରେ ଏ ନେଇ ଏକ ଫଟୋ ଶେୟାର କରିଛନ୍ତି ମାନୁଷୀ। ଏହା ଏକ ଗୀତ ଶୁଟିଂ ବେଳର ବୋଲି ସେ କହିଛନ୍ତି।

୨୦୧୯ରେ ଅକ୍ଷୟଙ୍କ ଚାରୋଟି ଫିଲ୍ମ ରିଲିଜ ହୋଇଥିଲା। ଯେଉଁଥିରେ ରହିଥିଲା ‘ମିଶନ ମଙ୍ଗଲ, ହାଉସ୍‌ଫୁଲ ୪, ଗୁଡ୍‌ ନ୍ୟୁଜ୍‌ ଏବଂ କେଶରୀ’। ଫିଲ୍ମଗୁଡ଼ିକ ସୁପରହିଟ୍‌ ହୋଇଥିଲା। ସେହିଭଳି ଚଳିତ ବର୍ଷ ମଧ୍ୟ ତାଙ୍କର ଚାରୋଟି ଫିଲ୍ମ ରିଲିଜ ହେଉଛି। ପୃଥ୍ବୀରାଜ ବ୍ୟତିତ ତାଙ୍କ ହାତରେ ‘ଲକ୍ଷ୍ମୀ ବମ୍‌’, ‘ସୂର୍ଯ୍ୟବଂଶୀ’, ‘ବଚ୍ଚନ ପାଣ୍ଡେ’ ରହିଛି। ଦମଦାର କାହାଣୀର ପୃଷ୍ଠଭୂମି ଯୋଗୁ ଫିଲ୍ମଗୁଡ଼ିକ ସଫଳ ହେବ ବୋଲି କୁହାଯାଉଛି। ଅପରପକ୍ଷେ ମାନୁଷୀ ପ୍ରଥମ ଥର ପାଇଁ ବଲିଉଡ୍‌ ଫିଲ୍ମରେ କାମ କରୁଥିବାରୁ ସେ ବେଶ ଉତ୍ସାହିତ ଅଛନ୍ତି। ପୃଥ୍ବୀରାଜରେ ଅନ୍ୟ ଭୂମିକାରେ ମାନବ ବିଜ, ଆଶୁତୋଷ ରାଣା ଏବଂ ସୋନୁ ସୁଡ଼ ପ୍ରମୁଖ ରହିଛନ୍ତି। ଚଳିତ ବର୍ଷ ଦିପାବଳୀରେ ଏହା ପରଦାକୁ ଆସିବ।

Share