ପୃଥ୍ବୀ-୨ର ରାତ୍ରିକାଳୀନ ବ୍ୟବହାରିକ ପରୀକ୍ଷଣ

ବାଲେଶ୍ୱର ଅଫିସ, ୩।୧୨-ବାଲେଶ୍ୱର ଚାନ୍ଦିପୁର ସମନ୍ବିତ ପରୀକ୍ଷଣ କେନ୍ଦ୍ରର ୩ ନମ୍ବର ଲଞ୍ଚପ୍ୟାଡ଼୍‌ରୁ ଆଣବିକ ଓ ପାରମ୍ପରିକ ଯୁଦ୍ଧାସ୍ତ୍ର ପରିବହନ କ୍ଷମତା ରଖୁଥିବା ପୃଥ୍ବୀ-୨ କ୍ଷେପଣାସ୍ତ୍ରର ମଙ୍ଗଳବାର ରାତ୍ରୀକାଳିନ ପରୀକ୍ଷଣ କରାଯାଇଥିଲା। ସନ୍ଧ୍ୟା ୭ଟା ୪୮ ମିନିଟ୍‌ ସମୟରେ କ୍ଷେପଣାସ୍ତ୍ରର ଉତ୍‌କ୍ଷେଣ ପରେ ଉପକୂଳରେ ଥିବା ଅତ୍ୟାଧୁନିକ ରାଡ଼ାର ସହାୟତାରେ ଏହାର ଗତି ପଥ ନିରୀକ୍ଷଣ କରାଯାଇଥିଲା। ନିର୍ଦ୍ଧାରିତ ସମୟରେ ଏହା ଲକ୍ଷ୍ୟଭେଦ କରିଥିଲା।
ପ୍ରତିରକ୍ଷା ବିଭାଗ ସୂତ୍ରରୁ ଜଣାଯାଇଛି ଯେ, ସମ୍ପୂର୍ଣ୍ଣ ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଇ ପାରୁଥିବା ପୃଥ୍ବୀ-୨ କ୍ଷେପଣାସ୍ତ୍ରକୁ ଦ୍ୱିତୀୟ ଥର ସକାଶେ ସନ୍ଧ୍ୟା ସମୟରେ ଏଠାରେ ପରୀକ୍ଷା କରାଯାଇଥିଲା। ଷ୍ଟ୍ରାଟେଜିକ୍‌ ଫୋର୍ସ କମାଣ୍ଡୋ ଏହି ବ୍ୟବହାରିକ ପରୀକ୍ଷଣ କରିଥିଲେ। ପୃଥ୍ବୀ-୨ କ୍ଷେପଣାସ୍ତ୍ରର ଲମ୍ବ ୯ ମିଟର। ମୋଟେଇ ୧୧୦ ସେଣ୍ଟିମିଟର। ୫୦୦ରୁ ୧୦୦୦ କିଲୋଗ୍ରାମ ପର୍ଯ୍ୟନ୍ତ ଏହା ଯୁଦ୍ଧାସ୍ତ୍ର ବହନ କରି ୩୫୦ କି.ମି. ଦୂରତା ମଧ୍ୟରେ ଲକ୍ଷ୍ୟଭେଦ କରିବା କ୍ଷମତା ରଖିଛି। ୨୦୦୩ରୁ ଏହି କ୍ଷେପଣାସ୍ତ୍ରକୁ ଭାରତୀୟ ସେନାରେ ନିୟୋଜିତ କରାଯାଇସାରିଛି।

Share