ପେଁକାଳିର ସରିତା

‘ମୋ ପେଁକାଳି ବଜେଇ ଦେ’ ନାଟକ ଦେଖିଥିବା ଦର୍ଶକ ଖୁବଶୀଘ୍ର ମନେ ପକେଇ ପାରିବେ ସରିତା ଚରିତ୍ରଟିକୁ। ମିତାର ଭାଉଜ। ମିତାର ବଡ଼ଭାଇ ଚିନ୍ମୟ ଜଗଦ୍ଦେବର ସ୍ତ୍ରୀ। ଚିନ୍ମୟ, ମିତା ତଥା ରାଜାସାହେବଙ୍କ ଭୂମିକାକୁ ବାଦଦେଲେ ଆଉ ଯେଉଁ ଚରିତ୍ରଟିକୁ ଏହି ନାଟକରେ ଗୁରୁତ୍ୱ ଦିଆଯାଏ ତାହା ହେଉଛି ସରିତା ଚରିତ୍ର। ଭଉଣୀ ସ୍ନେହରେ ଅନ୍ଧ ହେଇ ବୁଲୁଥିବା ଗୋଟେ ଭାଇର ସ୍ତ୍ରୀ ହେବା କିଛି କମ୍‌କଥା ନ ଥିଲା। ଆଉ ସେହି ଚରିତ୍ରଟିକୁ ବେଶ ସଫଳତାର ସହିତ ତୁଲାଇଥିଲେ ଓଡ଼ିଆ ଯାତ୍ରାଜଗତର ଆଗଧାଡ଼ିର ଅଭିନେତ୍ରୀ ବାସନ୍ତୀ ବାରେକ। ଜଗତ୍‌ସିଂହପୁରର ପଞ୍ଚପଲ୍ଲୀରେ ଜନ୍ମଗ୍ରହଣ କରିଥିବା ବାସନ୍ତୀ ୧୯୯୨ ମସିହାରେ ଯୋଗଦେଇଥିଲେ ‘ଶିବାନୀ ଗଣନାଟ୍ୟ’ରେ। ସେ ଯାତ୍ରାକୁ ଆସନ୍ତୁ ବୋଲି ବାପା ଚାହୁଁ ନ ଥିଲେ। ତେବେ ମା’ ତାଙ୍କୁ ମନାକରିପାରି ନ ଥିଲେ ଯାତ୍ରାକୁ ଆସିବା ପାଇଁ। ଯାତ୍ରା ପ୍ରତି ପିଲାଟି ବେଳରୁ ରୁଚି ଥିଲା। ସ୍କୁଲ ଡ୍ରାମାରେ ଅଭିନୟ କରି ପ୍ରଶଂସା ଗୋଟେଇଥିଲେ। ତେଣୁ ଚାଲିଆସିଲେ ଯାତ୍ରାକୁ। ଡ୍ୟାନ୍ସର ଭାବରେ ଯୋଗଦେଲେ। ସେ ଯାତ୍ରାକୁ ପଳେଇଛନ୍ତି ବୋଲି ଜାଣିବା ପରେ ବାପା ତାଙ୍କ ମା’ଙ୍କୁ କହିଥିଲେ, ‘ତୁ ତାକୁ ଯାତ୍ରାକୁ ପଠେଇଛୁ। ତୁ ଯାଇ ତାକୁ ନେଇଆ।’ ହେଲେ ଯାତ୍ରାପାର୍ଟିର ମାଲିକ ତାଙ୍କୁ ବୁଝେଇବାରୁ ବାସନ୍ତୀ ଯାତ୍ରାରେ ରହିଲେ। ଡ୍ୟାନ୍ସର ଭାବରେ ଯୋଗଦେଇଥିଲେ ସିନା, ମାତ୍ର ସୌଭାଗ୍ୟକୁ ଜଣେ ଲେଡି କଳାକାର ପାର୍ଟି ଛାଡ଼ିଦେଲେ। ଉଚ୍ଚତା ସାଙ୍ଗକୁ ଅଭିନେତ୍ରୀ ହେବାର ଚେହେରା ମଧ୍ୟ ରହିଥିଲା ବାସନ୍ତୀଙ୍କର। ତେଣୁ ସେ ଅଭିନେତ୍ରୀ ଭାବରେ ମଞ୍ଚକୁ ଆସିଲେ। ଇତିମଧ୍ୟରେ ସେ ଯାତ୍ରାର ବହୁ ପଥ ଅତିକ୍ରମ କରି ସାରିଲେଣି। ‘ତୁଳସୀ’, ‘ଧଉଳି’, ‘କଳିଙ୍ଗ’, ‘ତ୍ରିରଙ୍ଗା’, ‘ପାର୍ବତୀ’, ‘ତ୍ରିନାଥ’ ଆଦି ନାଟ୍ୟାନୁଷ୍ଠାନରେ ସଫଳତାର ସହିତ ଅଭିନୟ କରି ଏବେ ଆସି ପହଞ୍ଚତ୍ଛନ୍ତି ଯାତ୍ରା ‘ମାୟାନଗରୀ’ରେ। ସେ ଅଭିନୟ କରିଥିବା ନାଟକଗୁଡ଼ିକ ମଧ୍ୟରେ ରହିଛି ‘ବାଜେ ଝିଅକୁ ବାହା ହେବିନି’, ‘ମୋ ପେଁକାଳି ବଜେଇ ଦେ’, ‘କନିଅଁା ଯାଉଛି କାଞ୍ଚନପୁର’, ‘ନିଜେ ପୋଛିଦେଲି ନିଜ ସିନ୍ଦୂର’, ‘ଦେଖାହବ ଆର ଜନମରେ’, ‘ଓଢ଼ଣି ଖୋଲିବୁ ଧୀରେ ଧୀରେ’, ‘ବାଃ ବାଃରେ ଆମେରିକା’, ‘ରାତିର ରାଣୀ’ ଏବଂ ଆହୁରି ଅନେକ। ଚଳିତବର୍ଷ ଯାତ୍ରା ‘ମାୟାନଗରୀ’ରେ ସେ ଅଭିନୟ କରିଥିବା ନାଟକଗୁଡ଼ିକ ମଧ୍ୟରେ ରହିଛି ‘ନିଜ ନିଜର ରାମାୟଣ’, ‘କଥାଦିଅ ମୋତେ କରିବନି ପର’, ‘ଦେଲେ ଧରା କଥା ସରେ’। ‘ମୋ ପେଁକାଳି ବଜେଇ ଦେ’ ନାଟକରେ ରାଜା ବିକ୍ରମ କେଶରୀ ଜଗଦ୍ଦେବ ଓରଫ ରାଜା ସାହେବ ଭୂମିକାରେ ଅଭିନୟ କରୁଥିଲେ ଲୋକପ୍ରିୟ ଅଭିନେତା ବୈକୁଣ୍ଠ ବାରେକ। ତାଙ୍କୁ ହିଁ ଜୀବନସାଥୀ ଭାବରେ ଚୟନ କରିଥିଲେ ବାସନ୍ତୀ। ଏବେ ଏହି ଯୋଡ଼ି ବୈକୁଣ୍ଠ-ବାସନ୍ତୀ ଭାବରେ ପରିଚିତ।