ଛତ୍ରପୁର, ୨୩।୪(ଡି.ଏନ୍.ଏ.)- କରୋନା ସଂକ୍ରମଣକୁ ପ୍ରତିହତ କରିବା ଲକ୍ଷ୍ୟରେ ଗଞ୍ଜାମ ଜିଲାରେ ଥିବା ସମସ୍ତ ପେଟ୍ରୋଲ ପମ୍ପ ପାଇଁ ଜ଼ିଲାପାଳ ବିଜୟ ଅମୃତା କୁଲାଙ୍ଗେ ନୂତନ ନିର୍ଦ୍ଦେଶନାମା ଜାରି କରିଛନ୍ତି। ପ୍ରତି ପେଟ୍ରୋଲ ପମ୍ପରେ ତେଲ ପକାଇବାକୁ ଆସୁଥିବା ସମସ୍ତ ଭାରୀଯାନର ଚାଳକ ଓ ହେଲ୍ପର ଏବଂ ସମସ୍ତ ଷ୍ଟାଫ୍ଙ୍କର ଥର୍ମାଲ ସ୍କ୍ରିନିଂ ବାଧ୍ୟତାମୂଳକ କରାଯାଇଛି। ସେଠାରେ କାହାର କିଛି ଲକ୍ଷଣ ଦେଖାଦେଲେ ତୁରନ୍ତ ଜ଼ିଲା ମୁଖ୍ୟ ଚିକିତ୍ସାଧିକାରୀ କିମ୍ବା ସମ୍ପୃକ୍ତ ଅଞ୍ଚଳର ତଥା ଛତ୍ରପୁର, ଭଞ୍ଜନଗର ଓ ବ୍ରହ୍ମପୁର ଉପଜିଲାପାଳଙ୍କୁ ଜଣାଇବାକୁ ଜିଲାପାଳ ପରାମର୍ଶ ଦେଇଛନ୍ତି। ଏନେଇ ଉକ୍ତ ଅଧିକାରୀମାନଙ୍କ ମୋବାଇଲ ନମ୍ବର ଦିଆଯାଇଛି। ସ୍କ୍ରିନିଂ କରାଯାଇଥିବା ବ୍ୟକ୍ତିଙ୍କ ମୋବଇଲ ନମ୍ବର ସହ ସମସ୍ତ ତଥ୍ୟ ରଖିବାକୁ କୁହାଯାଇଛି। ବିନା ହେଲମେଟ ଓ ମାସ୍କରେ ତେଲ ନ ଦେବାକୁ ଜ଼ିଲାପାଳ ନିର୍ଦ୍ଦେଶ ଦେଇଛନ୍ତି।