ପେଣ୍ଟାଗନ ଜାରି କଲା ୟୁଏଫ୍‌ଓ ଭିଡିଓ

ଓ୍ବାଶିଂଟନ,୨୯ା୪: ପୃଥିବୀ ବାହାରରେ ଥିବା ଦୁନିଆ ଓ ସେଠାରେ ବସବାସ କରୁଥିବା ଏଲିଅନ୍‌ଙ୍କୁ ନେଇ ବିଭିନ୍ନ ସମୟରେ ଚର୍ଚ୍ଚା ଜୋର୍‌ ଧରିଥାଏ। ଅନେକ ସମୟରେ ଅନ୍‌ଆଇଡେଣ୍ଟିଫାଏଡ୍‌ ଫ୍ଲାଇଂ ଅବ୍‌ଜେକ୍ଟ (ୟୁଏଫ୍‌ଓ)କୁ ଦେଖିଥିବା ଲୋକେ ଦାବି କରିଥାନ୍ତି। ତେବେ ଅଦ୍ୟାବଧି ଏହାର ସତ୍ୟତା ପ୍ରମାଣିତ ହୋଇ ନ ଥିବାବେଳେ ଆମେରିକାର ପ୍ରତିରକ୍ଷା ବିଭାଗ ପେଣ୍ଟାଗନ ପକ୍ଷରୁ ସୋମବାର ତିନୋଟି ‘ଅନ୍‌ଏକ୍ସପ୍ଲେନ୍‌ଡ ଏରିଆଲ ଫେନମେନା’ ଭିଡିଓ ଜାରି କରାଯାଇଛି। ନଓ୍ବୋଦାର ପୂର୍ବତନ ସିନେଟର ତଥା ଡେମୋକ୍ରାଟିକ୍‌ ନେତା ହେରି ରିଡ୍‌ ମଧ୍ୟ ଏହି ଭିଡିଓଗୁଡ଼ିକୁ ଟୁଇଟ୍‌ କରିଛନ୍ତି। ଏଥିରେ ୨୦୦୪ରେ ଗୋଟିଏ ଓ ୨୦୧୫ରେ ଦୁଇଟି ୟୁଏଫ୍‌ଓକୁ ଆମେରିକାର ନୌସେନା ପାଇଲଟମାନେ ରେକର୍ଡ କରିଥିବା କୁହାଯାଇଛି। ତେବେ ଏହି ୩ ଭିଡିଓ ୨୦୦୭ ଓ ୨୦୧୭ରେ ଲିକ୍‌ ହୋଇଥିଲା। ଲୋକଙ୍କ ଦ୍ୱନ୍ଦ୍ୱ ଦୂର କରିବା ପାଇଁ ଏହାକୁ ସାର୍ବଜନୀନ କରାଯାଇଥିବା ପେଣ୍ଟାଗନର ଓ୍ବେବ୍‌ସାଇଟ୍‌ରେ କୁହାଯାଇଛି।

Share