Categories: ଖେଳ

ପେନାଲ୍ଟିକୁ ହରମନ୍‌ପ୍ରୀତଙ୍କ ଗୁରୁତ୍ୱ

ଭୁବନେଶ୍ୱର,୪ା୧୧ (ସ୍ପୋଟର୍‌ସ ବ୍ୟୁରୋ):ଭୁବନେଶ୍ୱରରେ ଅନୁଷ୍ଠିତ ପ୍ରୋ ହକି ଲିଗ୍‌ରେ ଶୁକ୍ରବାର ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ମ୍ୟାଚ ଖେଳାଯିବ। ଗୁରୁବାର ଖବରଦାତା ସମ୍ମିଳନୀରେ ପେନାଲ୍ଟି କର୍ନର ରୂପାନ୍ତରଣ ଉପରେ ଗୁରୁତ୍ୱାରୋପ କରିଛନ୍ତି କୋଚ୍‌ ଗ୍ରାହାମ୍‌ ରିଡ୍‌ ଓ ହରମନ୍‌ପ୍ରୀତ ସିଂ। ଅନ୍ତିମ ମିନିଟରେ ଗୋଲ ବରଣ କରିବା ସହିତ ଭାରତ ପେନାଲ୍ଟି କର୍ନରଗୁଡିକୁ ରୂପାନ୍ତର କରିବାରେ ସଫଳ ହେଉନାହିଁ। ଭାରତୀୟ ଦଳ ନିରନ୍ତର ଭାବେ ଏହା ଉପରେ କାମ କରି ଆସୁଛି ବୋଲି କହିଥିଲେ ହରମନ୍‌ପ୍ରୀତ। ସ୍ପେନ ବିପକ୍ଷରେ ସୁଯୋଗ ମିଳିଥିଲେ ହେଁ ଭାରତ ଏହାର ଫାଇଦା ଉଠାଇ ପାରି ନ ଥିଲା ବୋଲି ଉଭୟ କୋଚ୍‌ ଓ ଅଧିନାୟକ ସ୍ବୀକାର କରିଥିଲେ। ସେହିପରି ମହମ୍ମଦ ରାହିଲ ଓ କର୍ତ୍ତିଙ୍କ ପରି ଯୁବ ଖେଳାଳି ପ୍ରଥମ ଥର ଭାରତୀୟ ଦଳକୁ ଆସିଥିବା ବେଳେ ଏମାନେ ଭବିଷ୍ୟତରେ ଭଲ ପ୍ରଦର୍ଶନ କରିବାକୁ ଯାଉଛନ୍ତି। ୩ ମାସର ବ୍ୟବଧାନରେ ହକି ବିଶ୍ୱକପ ରହିଥିବା ବେଳେ ଭାରତ ଅଭ୍ୟାସ କରିବା ପାଇଁ ଏହା ଏକ ସୁନ୍ଦର ଅବସର ବୋଲି କୋଚ୍‌ ଗ୍ରାହାମ ରିଡ୍‌ କହିଥିଲେ। ସ୍ପେନ୍‌ଠାରୁ ଅନ୍ତିମ ମ୍ୟାଚରେ ପରାଜିତ ହୋଇଥିଲେ ହେଁ ଭାରତ ଏହି ମ୍ୟାଚରେ ଦୃଢ ଭାବରେ ପ୍ରତ୍ୟାବର୍ତ୍ତନ କରିବ ବୋଲି ରିଡ୍‌ କହିଥିଲେ। ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ନିଜର ଅନ୍ତିମ ମ୍ୟାଚ୍‌ ଜିତିଥିବା ବେଳେ ଏହା ଭାରତୀୟ ଦଳକୁ ଆତ୍ମବିଶ୍ୱାସ ପ୍ରଦାନ କରିବ ବୋଲି ମଧ୍ୟ ସେ ମତ ଦେଇଥିଲେ। ଭାରତ ଓ ନ୍ୟୁଜିଲାଣ୍ଡ ୪୨ ଥର ସାମ୍ନାସାମ୍ନି ହୋଇଥିବା ବେଳେ ଭାରତ ୨୨ଟିରେ ବିଜୟୀ ହୋଇଛି।

Share