ପେନ୍‌ସନ୍‌ ଉଠାଇ ଫେରିବା ସମୟରେ ମହିଳାଙ୍କଠାରୁ ଲୁଟ୍‌

ନିଶ୍ଚିନ୍ତକୋଇଲି,୪।୧(ସ୍ବ.ପ୍ର.): କଟକ ଜିଲା ନିଶ୍ଚିନ୍ତକୋଇଲି ଥାନା ଅଧୀନରେ ଦିନକୁ ଦିନ ଲୁଟେରାମାନଙ୍କର ଦୌରାତ୍ମ୍ୟ ଦେଖିବାକୁ ମିଳୁଛି। ଏକ ନିର୍ଦ୍ଦିଷ୍ଟ କଳା ପଲ୍‌ସରରେ ଲୁଟେରାମାନେ ବ୍ୟାଙ୍କରୁ ଟଙ୍କା ଉଠାଉଥିବା ଲୋକଙ୍କୁ ଟାର୍ଗେଟ କରୁଛନ୍ତି। ଏପରି ଏକ ଘଟଣା ଶନିବାର ପୂର୍ବାହ୍ନରେ ନିଶ୍ଚିନ୍ତକୋଇଲି ଥାନା ଅଧୀନରେ ଦେଖିବାକୁ ମିଳିଛି। ଉକ୍ତ ଥାନା ଅନ୍ତର୍ଗତ ୮ ନଂ. କେନାଲ ସରପଡ଼ା ଶନିମନ୍ଦିର ନିକଟରୁ ଜଣେ ମହିଳାଙ୍କଠାରୁ ଲୁଟେରାମାନେ ୨୦ ହଜାର ଟଙ୍କା ଲୁଟି ନେଇଛନ୍ତି।
ସୂଚନାନୁଯାୟୀ, ନେମାଳ ଥାନା ମାଳିଗାଁ ଅଞ୍ଚଳର ସେକ୍‌ ମହିଉଦ୍ଦିନଙ୍କ ସ୍ତ୍ରୀ ତାହେରା ବିବି(୬୦) ପୁଅ ଅନିଶଙ୍କ ସହ କେନ୍ଦୁପାଟଣା ଷ୍ଟେଟବ୍ୟାଙ୍କ ଶାଖାରୁ ୨୦ ହଜାର ପେନ୍‌ସନ୍‌ ଉଠାଇଥିଲେ। ନିଶ୍ଚିନ୍ତକୋଇଲି ବଜାରରୁ ଫଳ ଓ କିଛି ଦରକାରୀ ଜିନିଷ କିଣି କେନାଲ ବନ୍ଧ ଦେଇ ଘରକୁ ଫେରୁଥିଲେ। ତାଙ୍କ ପିଛା କରୁଥିବା ଏକ ପଲ୍‌ସର ଗାଡିରେ ୨ଜଣ ଯୁବକ ମୁହଁରେ କପଡା ବାନ୍ଧି କେନାଲ ବନ୍ଧ ଶନି ଠାକୁରଙ୍କ ନିକଟରେ ତାହେରା ଧରି ଥିବା ଟଙ୍କା ବ୍ୟାଗ୍‌କୁ ଛଡାଇନେଇ ବୁହାଳ ଅଭିମୁଖେ ପଳାଇ ଯାଇଥିଲେ। ତେବେ ଘଟଣାସ୍ଥଳରେ ତାହେରା ପଡିଯାଇ ଗୁରୁତର ହୋଇଥିଲେ। କିନ୍ତୁ ଅନିଶ ଲୁଟେରାଙ୍କୁ ଧରିବା ପାଇଁ ଗୋଡାଇଥିଲେ। ତେବେ ସ୍ଥାନୀୟ ଲୋକ ଓ ଯୁବ ବାହିନୀର ସଦସ୍ୟ ତାହେରାଙ୍କୁ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ତାଙ୍କୁ ପ୍ରାଥମିକ ଚିକିତ୍ସା କରିବା ପରେ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

Share