ପେପରବିହୀନ ରେଳ କାର୍ଯ୍ୟାଳୟକୁ ଗୁରୁତ୍ୱ: ପ୍ରଥମ ପର୍ଯ୍ୟାୟରେ ୫୮ୟୁନିଟ୍‌ ହେଲା ଇ- ଅଫିସ୍‌

ଭୁବନେଶ୍ୱର, ୩।୧୧(ବ୍ୟୁରୋ): କାର୍ଯ୍ୟକ୍ଷେତ୍ରରେ ସ୍ବଚ୍ଛତା ଆଣିବା ସହ ପେପରବିହୀନ ରେଳ କାର୍ଯ୍ୟାଳୟ (ଇ -ଅଫିସ୍‌) କାର୍ଯ୍ୟକାରୀ ଉପରେ ଭାରତୀୟ ରେଳପଥ ବେଶ୍‌ ତତ୍ପରତାର ସହ କାର୍ଯ୍ୟ କରୁଛି। ନ୍ୟାଶନାଲ ଇ-ଗଭର୍ନାନ୍ସ ଯୋଜନାରେ ରେଲଓ୍ବେ ପ୍ରଥମ ପର୍ଯ୍ୟାୟରେ ୫୮ଟି ୟୁନିଟ୍‌କୁ ସମ୍ପୂର୍ଣ୍ଣ ଇ-ଅଫିସ୍‌ରେ ପରିଣତ କରିଛି। ଏହି ଯୋଜନା ଅନ୍ତର୍ଗତ ଏନ୍‌ଆଇସି ଇ-ସୁଟ୍‌ ପ୍ରକ୍ରିୟାର ପ୍ରଥମ ପର୍ଯ୍ୟାୟ ୩୦ ଅକ୍ଟୋବରରେ ସମ୍ପୂର୍ଣ୍ଣ ହୋଇଛି। ଗତ ମାର୍ଚ୍ଚରେ ରେଲଟେଲ୍‌ ଓ ଭାରତୀୟ ରେଳପଥ ମଧ୍ୟରେ ଏକ ଚୁକ୍ତି ସ୍ବାକ୍ଷରିତ ହୋଇଥିଲା। ରେଲଟେଲ୍‌ ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ପ୍ରଥମ ପର୍ଯ୍ୟାୟର ଧାର୍ଯ୍ୟ ଲକ୍ଷ୍ୟକୁ ସମ୍ପୂର୍ଣ୍ଣ କରିବା ପାଇଁ ରାଜିନାମାରେ ଉଲ୍ଲେଖ ରହିଥିଲା। ତେବେ ଯଥେଷ୍ଟ ସମୟର ୪ ମାସ ପୂର୍ବରୁ କାର୍ଯ୍ୟ ଶେଷ ହୋଇଯାଇଛି। ଏହାଦ୍ୱାରା ରେଲଓ୍ବେ ୫୦ ହଜାରରୁ ଅଧିକ ବ୍ୟବହାରକାରୀ ସୃଷ୍ଟି କରିପାରିଛି। ଏଥିସହ ଏହି ସମସ୍ତ ୟୁନିଟ୍‌ର ଅଧିକାରୀମାନଙ୍କୁ ସ୍ବତନ୍ତ୍ର ତାଲିମ୍‌ ଦିଆଯାଇଛି। ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ ସ୍ବଚ୍ଛ ଅଟେ, ଏଥିପାଇଁ ଏକ ମନିଟରିଂ ୟୁନିଟ୍‌ ମଧ୍ୟ ଗଠନ କରାଯାଇଛି। ଯାହା କାର୍ଯ୍ୟଶୈଳୀ ଉପରେ ନଜର ରଖିବା ସହ ପରିଚାଳନାର ପ୍ରମୁଖ ଦାୟିତ୍ୱ ବହନ କରିବ। ଏଥିରେ ପରିଚାଳନାଗତ ଖର୍ଚ୍ଚ କମିବା ସହ ପରୋକ୍ଷରେ ପ୍ରଦୂଷଣ ମଧ୍ୟ କମିବ। ଇ-ଅଫିସ୍‌ ହେଉଛି ନ୍ୟାଶନାଲ ଇ-ଗଭର୍ନାନ୍ସ ଯୋଜନାର ଏକ ମିଶନ ପ୍ରକଳ୍ପ। କାଗଜବିହୀନ, ଦକ୍ଷ, କ୍ରିୟାଶୀଳ ଓ ସ୍ବଚ୍ଛ କାର୍ଯ୍ୟଶୈଳୀ କରିବା ଏହି ଯୋଜନାର ଲକ୍ଷ୍ୟ ବୋଲି ରେଳପଥ ପକ୍ଷରୁ କୁହାଯାଇଛି। ଏନ୍‌ଆଇସି ଇ-ଅଫିସ୍‌ ନ୍ୟାଶନାଲ ଇନଫରମେଟିକ୍ସ ସେଣ୍ଟର ଦ୍ୱାରା ପ୍ରସ୍ତୁତ ଏକ ସଫ୍ଟଓ୍ବେର। ଏହା ରେଲଟେଲ୍‌ ଟାୟାର-୩ ପ୍ରମାଣିତ ଡାଟା ସେଣ୍ଟର ସିକନ୍ଦରାବାଦ ଓ ଗୁରୁଗ୍ରାମ ଦ୍ୱାରା ପରିଚାଳିତ ହେଉଛି।

Share