ପେସା ପୂଜା, ନିଶା କ୍ରିକେଟ୍‌

ପେଟ ପୋଷେ ପରିଶ୍ରମ। ଭିନ୍ନ ଭିନ୍ନ ପରିଶ୍ରମକୁ ନେଇ ମଣିଷ ଏହାର ନଁା ଦେଇଛି ବୃତ୍ତି। କୁଟୁମ୍ବ ପୋଷିବା ପାଇଁ ମଣିଷ ବାଧ୍ୟରେ ଏକ ବୃତ୍ତିରେ ବାନ୍ଧି ହୋଇ ରହେ। ସହରରେ ବୃତ୍ତିକୁ ଆବୋରି ବଞ୍ଚୁଥିବା ମଣିଷମାନଙ୍କ କାହାଣୀକୁ ନେଇ ଏହି ସ୍ବତନ୍ତ୍ର ସ୍ତମ୍ଭ…

ସକାଳ ୯ଟା ବାଜିଲେ ଲିଙ୍କ୍‌ରୋଡ଼ରୁ ପାଲାମଣ୍ଡପ ପର୍ଯ୍ୟନ୍ତ ଥିବା ଦୋକାନରେ ପଣ୍ଡାନନାଙ୍କ ଖୋଜାପଡ଼େ। ସାଇକେଲ ଚଲାଇ, ହ୍ୟାଣ୍ଡେଲରେ ପୂଜା ଥାଳି ଝୁଲାଇ ପହଞ୍ଚି ଯାଆନ୍ତି ପଣ୍ଡାନନା। ଗୋଟିଏ ଦୋକାନରେ ଶୀଘ୍ର ପୂଜା ସାରି ପୁଣି ପରବର୍ତ୍ତୀ ଦୋକାନକୁ ଯାଆନ୍ତି। ଏମିତି ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ତାଙ୍କର ପୂଜା ଚାଲେ। ପଣ୍ଡାନନା ଭାବେ ପରିଚିତ ଏହି ଯୁବକଙ୍କ ନାମ ହିମାଂଶୁ ପଣ୍ଡା। ଘର ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ବିଶୋଳ ଗ୍ରାମରେ। କୌଳିକ ବୃତ୍ତି ମାଧ୍ୟମରେ ପେଟ ପୋଷିବାକୁ ମନସ୍ଥ କରି ସ୍ତ୍ରୀ ପିଲାଙ୍କୁ ଧରି ଏବେ ସେ କଟକ ଖାନ୍‌ନଗର ବ୍ରାହ୍ମଣସାହିରେ ଭଡ଼ାଘରେ ରହୁଛନ୍ତି। ଏହି ବୃତ୍ତିରୁ ପଣ୍ଡାନନା ମାସକୁ ୮ରୁ ୧୦ହଜାର ଟଙ୍କା ରୋଜଗାର କରୁଛନ୍ତି ବୋଲି କହିଥିଲେ। ପଣ୍ଡାନନାଙ୍କର ଏକ ଭିନ୍ନ ପରିଚୟ ରହିଛି। ଯାହା ସମସ୍ତଙ୍କୁ ଚକିତ କରିବ। ପାନଖିଆ ପାଟିରେ ହସିହସି କଥା କହି ପୂଜା କାର୍ଯ୍ୟ ତୁଲାଉଥିବା ଏହି ଯୁବକ ଜଣକ ୧୯ବର୍ଷରୁ କମ୍‌ ଓଡ଼ିଶା କ୍ରିକେଟ ଦଳର ଜଣେ ପୂର୍ବତନ ଖେଳାଳି। ଲେଗ୍‌ସ୍ପିନ ବୋଲିଂ କରିବାରେ ସେ ଧୂରନ୍ଧର। ଏଥିପାଇଁ ତାଙ୍କୁ କଟକର ପ୍ରାୟ ସମସ୍ତ କ୍ଲବ ଜାଣନ୍ତି। ପିଲାଦିନୁ କ୍ରିକେଟ ଖେଳ ପ୍ରତି ତାଙ୍କର ଦୁର୍ବଳତା ରହିଥିଲା। ହେଲେ ପରିବାରର ଆର୍ଥିକ ଅଭାବରୁ ସେ ଆଉ ଆଗକୁ ଯାଇ ପାରି ନ ଥିଲେ ବୋଲି କହିଛନ୍ତି। ନିକଟ ଅତୀତରେ ନୟାଗଡ଼ରେ ଶେଷ ହୋଇଥିବା ଏକ କ୍ଲବସ୍ତରୀୟ କ୍ରିକେଟ ଟୁର୍ନାମେଣ୍ଟରେ ପଣ୍ଡାନନାଙ୍କୁ ଶ୍ରେଷ୍ଠ ବୋଲର ଭାବେ ସମ୍ମାନିତ କରାଯାଇଛି।

Share