Categories: ଜାତୀୟ

ପେହଲୁ ଖାନ୍‌ଙ୍କ ବିରୋଧରେ ଗୋ-ଚାଲାଣ ମାମଲା ଖାରଜ

ଜୟପୁର,୩୧ା୧୦(ପି.ଟି.): ୨୦୧୭ ଏପ୍ରିଲରେ ଗୋସୁରକ୍ଷା କର୍ମୀଙ୍କ ଆକ୍ରମଣରେ ପ୍ରାଣ ହରାଇଥିବା ପେହଲୁ ଖାନ୍‌ଙ୍କ ବିରୋଧରେ ଗୋରୁ ଚୋରାଚାଲାଣ ମାମଲାକୁ ବୁଧବାର ରାଜସ୍ଥାନ ହାଇକୋର୍ଟ ଖାରଜ କରିଦେଇନ୍ତି। ଏଥିସହିତ ତାଙ୍କର ଦୁଇପୁଅ ଓ ଟ୍ରକ୍‌ ଡ୍ରାଇଭର ବେଆଇନ ଭାବେ ଗୋରୁ ଚାଲାଣ କରୁଥିବା ଅଭିଯୋଗକୁ ମଧ୍ୟ ଅଦାଲତ ରଦ୍ଦ କରିଦେଇଛନ୍ତି। ରାଜସ୍ଥାନ ଗୋସମ୍ପଦ ସୁରକ୍ଷା ଆଇନ ଅନୁଯାୟୀ ଦାଏର ମାମଲା ଓ ୪ ଜଣଙ୍କ ବିରୋଧରେ ଚାର୍ଜଶିଟ୍‌କୁ ଜଷ୍ଟିସ୍‌ ପଙ୍କଜ ଭଣ୍ଡାରୀଙ୍କ ଖଣ୍ଡପୀଠ ଖାରଜ କରିଦେଇଛନ୍ତି। ସେମାନେ ଗୋହତ୍ୟା ପାଇଁ ଗୋରୁ ଚାଲାଣ କରୁଥିବାର କୌଣସି ପ୍ରମାଣ ନାହିଁ ବୋଲି ଖଣ୍ଡପୀଠ କହିଛନ୍ତି। ୨୦୧୭ ଏପ୍ରିଲ ୧ରେ ଅଲଓ୍ବର ଜିଲା ବେହରୋର୍‌ ନିକଟରେ ପେହଲୁ, ତାଙ୍କ ଦୁଇପୁଅ ଓ ଅନ୍ୟ କେତେଜଣ ଟ୍ରକ୍‌ରେ ଗୋରୁଙ୍କୁ ନେଉଥିବାବେଳେ ଗୋରକ୍ଷକମାନେ ସେମାନଙ୍କୁ ଅଟକାଇ ମାଡ଼ ମାରିଥିଲେ। ଏହାର ଦୁଇଦିନ ପରେ ହସ୍ପିଟାଲରେ ପେହଲୁଙ୍କର ମୃତ୍ୟୁ ଘଟିଥିଲା। ଭିଡ଼ହିଂସାରେ ତାଙ୍କୁ ହତ୍ୟା କରାଯାଇଥିବା ନେଇ ଉତ୍ତେଜନା ପ୍ରକାଶ ପାଇବା ସହ ଏହି ଘଟଣା ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଥିଲା।

Share