ପୋକରା ଚାଉଳ ବଣ୍ଟନକୁ ନେଇ ଉତ୍ତେଜନା: ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ଅଭିଯୋଗ କଲେ ହିତାଧିକାରୀ

ଦାରିଙ୍ଗବାଡ଼ି,୧୩ା୯(ଡି.ଏନ୍‌.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଗ୍ରୀନବାଡ଼ି ପଞ୍ଚାୟତ କାର୍ଯ୍ୟାଳୟରେ ଶୁକ୍ରବାର ସାଧାରଣ ବଣ୍ଟନ ଟଙ୍କିକିଆ ଚାଉଳ ପୋକରା ଥିବା ଅଭିଯୋଗ ହୋଇଛି। ଅତି ନିମ୍ନମାନର ଚାଉଳ ବଣ୍ଟନକୁ ନେଇ ଘଟଣାସ୍ଥଳରେ ହିତାଧିକାରୀମାନେ ଅସନ୍ତୋଷ ପ୍ରକାଶ କରିବା ସହ ସେଠାରେ ଉତ୍ତେଜନା ଦେଖାଯାଇଛି। ପରେ ହିତାଧିକାରୀମାନେ ଚାଉଳ ନ ନେଇ ଫେରିଯାଇଥିବା ଜଣାପଡିଛି। ସରକାରଙ୍କ ପକ୍ଷରୁ ଗରିବ ଲୋକଙ୍କୁ ଟଙ୍କିକିଆ ଚାଉଳ ନିୟମିତ ଯୋଗାଇ ଦିଆଯାଉଥିବା ପଞ୍ଚାୟତକୁ ଆସୁଥିବା ଭଲ ଚାଉଳକୁ ଚୋରାଚାଲାଣ କରାଯାଉଥିବା କିଛି ହିତାଧିକାରୀ ଅଭିଯୋଗ କରିବା ସହ ଭଲ ଚାଉଳ ବଦଳରେ ପୋକରା ଚାଉଳକୁ ଗରିବ ଲୋକଙ୍କୁ ଦିଆଯାଉଥିବା କହିଛନ୍ତି। ଏନେଇ କିଲାବାଡ଼ି ଗ୍ରାମର ହିତାଧିକାରୀ ପବିତ୍ର ପ୍ରଧାନଙ୍କ ସମେତ ସାଙ୍ଗୁଡ଼ୁମାହାର ଶଙ୍କର ମଲ୍ଲିକ, ରାଜିପ ପ୍ରଧାନ, ସୁରଜ ପ୍ରଧାନ, ପ୍ରମୋଦ ପ୍ରଧାନ, ଲବନାଥ ପ୍ରଧାନ ପ୍ରମୁଖ ଅଭିଯୋଗ କରିଛନ୍ତି । ପରେ ଉତ୍ତ୍ୟେକ୍ତ ଲୋକେ ବ୍ଲକ କାର୍ଯ୍ୟାଳୟ ଯାଇ ଯୋଗାଣ ଅଧିକାରୀ ନିହାର ରଞ୍ଜନ ବେହେରାଙ୍କ ନିକଟରେ ଅଭିଯୋଗ କରିଥିଲେ। ତେବେ ଯୋଗାଣ ନିରୀକ୍ଷକ ଉକ୍ତ ଚାଉଳକୁ ବଦଳାଯାଇ ଅନ୍ୟ ଚାଉଳ ଆସିଲେ ପୁଣି ୧୫ ତାରିଖରେ ବଣ୍ଟନ କରାଯିବ ବୋଲି କହିଥିଲେ। ବହୁ ବୁଝାଶୁଝା ପରେ ଉତ୍ତ୍ୟକ୍ତ ଲୋକେ ସେଠାରୁ ଫେରିଥିଲେ । ପରେ ପଞ୍ଚାୟତ କାର୍ଯ୍ୟାଳୟକୁ ଯୋଗାଣ ନିରୀକ୍ଷକ ତଦନ୍ତ ପାଇଁ ପହଞ୍ଚିଥିଲେ। ସେଠାରେ ଗୋଦାମରେ ରହିଥିବା ଚାଉଳ ବସ୍ତାରେ ବର୍ଷା ଯୋଗୁ ପାଣି ଭିଜି ଏଭଳି ଖରାପ ହୋଇଥିବା ସେ କହିଛନ୍ତି । ତେବେ ସମସ୍ତ ଚାଉଳ ଖରାପ ହୋଇ ନ ଥିବାରୁ ଯେଉଁ ହିତାଧିକାରୀ ଚାଉଳ ନେବାକୁ ଚାହୁଁଛନ୍ତି ସେମାନଙ୍କୁ ଚାଉଳ ଦେବାକୁ ଯୋଗାଣ ନିରୀକ୍ଷକ କହିଛନ୍ତି ।

Share