ନୟାଗଡ଼ ଅଫିସ,୯ା୩: ନୟାଗଡ଼ ବ୍ଲକ ଖୁଣ୍ଟୁବନ୍ଧ ପଞ୍ଚାୟତରେ ରବିବାର ପୋକରା ଚାଉଳ ବଣ୍ଟନକୁ ରାଶନ କାର୍ଡ ହିତାଧିକାରୀ ବିରୋଧ କରିଥିଲେ। ପରେ ସେମାନେ ପୋକଡା ଚାଉଳ ଧରି ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ଖବର ପାଇ ଅତିରିକ୍ତ ଯୋଗାଣ ଅଧିକାରୀ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିଥିଲେ। ଏହାକୁ ବଦଳାଇ ଉତ୍କୃଷ୍ଟ ମାନର ଚାଉଳ ଦିଆଯିବ ବୋଲି କହିବା ପରେ ମଧ୍ୟାହ୍ନ ପ୍ରାୟ ୧୨ଟାରେ ଆନ୍ଦୋଳନ ହଟିଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ହିତାଧିକାରୀମାନେ ଭଲ ଚାଉଳ ପାଇଥିବା ଜଣାପଡିଛି। ଅଭିଯୋଗ ଅନୁସାରେ ଖୁଣ୍ଟୁବନ୍ଧରେ କିଛିଦିନ ହେଲା ହିତାଧିକାରୀଙ୍କୁ ପୋକରା ଚାଉଳ ବଣ୍ଟନ କରାଯାଉଥିଲା। ରବିବାର ବେଗୁନିଆପାଟଣାର ହିତାଧିକାରୀଙ୍କୁ ଏହି ଚାଉଳ ଦେବା ପରେ ସେମାନେ ଫେରାଇ ଦେଇଥିଲେ ବୋଲି ପୂର୍ବତନ ସରପଞ୍ଚ ଫକୀର ମଲ୍ଲ କହିଛନ୍ତି। ଫକୀରଙ୍କ ନେତୃତ୍ୱରେ ଧାରଣା ଦିଆଯାଇଥିଲା । ଏ ନେଇ ଜିଲା ଯୋଗାଣ ଅଧିକାରୀ ଦେବବ୍ରତ ମହାପାତ୍ର କୁହନ୍ତି, ଅଭିଯୋଗ ପରେ ଚାଉଳ ପରିବର୍ତ୍ତନ କରି ଭଲ ଚାଉଳ ଦିଆଯାଇଥିଲା। ଚାଉଳ ମାନ ଖରାପ ଥିବା ଅଭିଯୋଗ ପରେ ଆମେ ପରିବର୍ତ୍ତନ କରିଥାଉ ବୋଲି ସେ ପ୍ରକାଶ କରିଛନ୍ତି।