ପୋକ୍ସୋ କୋର୍ଟରେ ୧୦ ବର୍ଷ ଜେଲ

କେନ୍ଦୁଝର, ୨୯ା୮(ସ୍ବ.ପ୍ର./ଡି.ଏନ.ଏ.)-ସ୍ଥାନୀୟ ଏଡିଜେ ତଥା ସ୍ପେଶାଲ ଜଜ କୋର୍ଟରେ ବୁଧବାର ଏକ ପୋକ୍ସୋ ମାମଲାର ଶୁଣାଣି କରି ଏଡିଜେ ତଥା ସ୍ପେଶାଲ ଜଜ ଲୋକନାଥ ସାହୁ ଜଣେ ବ୍ୟକ୍ତିଙ୍କୁ ୧୦ ବର୍ଷ କାରାଦଣ୍ଡ ସହ ୧୫ ହଜାର ଟଙ୍କା ଜରିମାନା କରିଛନ୍ତି। ଅନାଦେୟ ଆଉ ଦେଢ ମାସ ସଶ୍ରମ କାରାଦଣ୍ଡ ଭୋଗିବାକୁ ହେବ ା ସେହିପରି ପିଡିତାଙ୍କୁ ଏକ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ କୋର୍ଟ ଆଦେଶ କରିଛି।
ଉକ୍ତ ବ୍ୟକ୍ତିଙ୍କ ନାମ ବିକ୍ରମ ମୁଣ୍ଡା। ତାଙ୍କ ଘର ଜଡିଖୁଣ୍ଟା ବୋଲି ଜଣାପଡିଛି ା ସ୍ପେଶାଲ ମାମଲା (ନମ୍ବର ୨୪୪/୭୦ ଅଫ ୨୦୧୬)ର ଶୁଣାଣି କରି ଏବଂ ୧୧ ଜଣ ସାକ୍ଷୀ ଙ୍କ ବୟାନକୁ ଭିତ୍ତି କରି ଏହି ଦଣ୍ଡାଦେଶ କରିଥିବା ସରକାରୀ ଆଇନଜୀବୀ ଗଣେଶ ପ୍ରସାଦ ମହାପାତ୍ର କହିଛନ୍ତି। ୨୦୧୬ ମସିହା ଜୁଲାଇ ୧୪ ତାରିଖରେ ଘଟଣାଟି ଘଟିଥିଲା ା ଅଭିଯୁକ୍ତ ହେଉଛନ୍ତି ଜଣେ ଟ୍ରାକ୍ଟର ଚାଳକ ଏବଂ ବଳାତ୍କାର ଶିକାର ହୋଇଥିବା ଯୁବତୀ ଜଣେ ଦିନ ମଜୁରିଆ ା ପିଡିତା ତାଙ୍କ ଭାଉଜ ମାନଙ୍କ ସହିତ ବାହୁଡା ଯାତ୍ରା ଦେଖିବାକୁ ବାହାରିଥିଲେ। ମୁଦାଲା ଟ୍ରାକ୍ଟର ଚାଳକ ବିକ୍ରମ ଉକ୍ତ ପିଡିତାଙ୍କୁ ପରେ ଯିବା ବୋଲି କହି ଅଟକାଇଥିଲେ। ପରେ ବିକ୍ରମ ତାଙ୍କୁ ଯାତ୍ରାକୁ ନ ନେଇ ଟିକରପଡା ଗ୍ରାମକୁ ନେଇଯାଇ ଗୋଟିଏ ରାତି ରଖିଥିଲେ। ତାପର ଦିନ ଫୁଲଝର ଗ୍ରାମକୁ ନେଇଯାଇଥିଲେ। ସେଠାରେ ତାଙ୍କୁ ବିବାହ କରିବ ବୋଲି କହି ଶାରିରୀକ ସମ୍ପର୍କ ରଖିଥିଲେ। ଏହି ଘଟଣା ପରେ ଘରକୁ ନ ଫେରିବାରୁ ପିଡିତାଙ୍କ ମା ସଦର ଥାନାରେ ଲିଖିତ ଏତଲା ଦେଇଥିଲେ ା ପୋଲିସ ଏକ ମାମଲା ରୁଜୁ କରିଥିଲେ ା ୧୦ ଦିନ ପରେ ପୋଲିସ ମୁଦାଲାଙ୍କ ଘରୁ ପିଡିତାଙ୍କୁ ଉଦ୍ଧାର କରି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ ା
ଗୋଟିଏ ଦଫାରେ କୋର୍ଟ ୧୦ ବର୍ଷ ଜେଲ ଦଣ୍ଡାଦେଶ ଓ ୧୦ ହଜାର ଟଙ୍କା ଫାଇନ କରିବା ସହ ଅନ୍ୟ ଦଫାରେ ୫ ବର୍ଷ ଜେଲଦଣ୍ଡାଦେଶ ଓ ୫ ହଜାର ଟଙ୍କା ଜରିମାନା କରିଛନ୍ତି।