Categories: ଜାତୀୟ

ପୋଖରାନ୍‌ରୁ ପାକିସ୍ତାନକୁ ରାଜନାଥଙ୍କ ଚେତାବନୀ: ବଦଳିବ ଆଣବିକ ଅସ୍ତ୍ର ପ୍ରୟୋଗ ନୀତି

ଜୟପୁର/ନୂଆଦିଲ୍ଲୀ,୧୭ା୮(ପି.ଟି.) : ଭାରତ କୌଣସି ରାଷ୍ଟ୍ର ଉପରେ ପ୍ରଥମେ ଆଣବିକ ଅସ୍ତ୍ର ବ୍ୟବହାର କରିବ ନାହିଁ ବୋଲି ଅଦ୍ୟାବଧି ପ୍ରତିଶ୍ରୁତିବଦ୍ଧ ଥିବାବେଳେ ଏହି ‘ନୋ ଫାଷ୍ଟ ୟୁଜ୍‌’ (ଏନ୍‌ଏଫ୍‌ୟୁ) ନୀତିରେ ପରିବର୍ତ୍ତନର ସଙ୍କେତ ଦେଇଛନ୍ତି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ। ଭାରତ ଆଗକୁ ପ୍ରଥମେ ଆଣବିକ ଅସ୍ତ୍ର ବ୍ୟବହାର କରିବ କି ନାହିଁ ତାହା ପରିସ୍ଥିତି ଉପରେ ନିର୍ଭର କରେ ବୋଲି ଶୁକ୍ରବାର ପୋଖରାନ୍‌ରୁ ରାଜନାଥ ପରୋକ୍ଷରେ ପାକିସ୍ତାନକୁ ଚେତାବନୀ ଦେଇଛନ୍ତି।
ରାଜସ୍ଥାନର ପୋଖରାନରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀ ସରକାରଙ୍କ ଅମଳରେ ଭାରତ ୫ଟି ପରମାଣୁ ବୋମା ପରୀକ୍ଷା କରିଥିଲା। ଶୁକ୍ରବାର ବାଜପେୟୀଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ପୋଖରାନ ଆଣବିକ ପରୀକ୍ଷଣ ସ୍ଥଳ ପରିଦର୍ଶନ କରି ଟୁଇଟ୍‌ କରିଛନ୍ତି। ସେ କହିଛନ୍ତି, ପୋଖରାନ୍‌ ହେଉଛି ସେହି ସ୍ଥାନ ଯେଉଁଠି ପ୍ରଥମେ ଆଣବିକ ଅସ୍ତ୍ର ପ୍ରୟୋଗ ନ କରିବା ପାଇଁ ଭାରତ ପ୍ରତିଶ୍ରୁତିବଦ୍ଧ ବୋଲି ବାଜପେୟୀ କହିଥିଲେ। ତାଙ୍କର ଏହି ନୀତି ବର୍ତ୍ତମାନ ଯାଏ ବଜାୟ ରହିଥିବାବେଳେ ଆଗକୁ କ’ଣ ହେବ କହିହେବ ନାହିଁ।

Share