Categories: ମେଟ୍ରୋ

ପୋଖରୀପୁଟ ଅଞ୍ଚଳରେ କୁକୁର ଭୟ: ୧୬ ଘଣ୍ଟାରେ ୯ ଜଣଙ୍କୁ କାମୁଡ଼ିଲେ

ଭୁବନେଶ୍ୱର, ୧୦।୧୧(ବ୍ୟୁରୋ): ଶୁକ୍ରବାର ସନ୍ଧ୍ୟାରୁ ଶନିବାର ସକାଳ ଯାଏ ଲୋକ ଘରେ ତାଟି କବାଟ ପଡ଼ିଗଲା। ସ୍ଥିତି ଏପରି ହେଲା କି ଦୁଇଟି ଲେନ୍‌ରେ ଲୋକ ଘରୁ ବାହାରିବା ପାଇଁ ବି ଡରିଲେ। ବାଘ କି ଭାଲୁ ନୁହେଁ, ଦୁଇଟି ପାଗଳା କୁକୁର ପୋଖରୀପୁଟ ଅଞ୍ଚଳରେ ଥିବା ଅନନ୍ତବିହାର ଫେଜ୍‌ ୨ ବାସିନ୍ଦାଙ୍କୁ ଏପରି କଲବଲ କରିଥିବା ନଜରକୁ ଆସିଛି। ଜଣେ କି ଦୁଇଜଣ ନୁହେଁ ୯ଜଣ ଲୋକଙ୍କୁ କାମୁଡିି ରକ୍ତାକ୍ତ କରିଛନ୍ତି। ଦୀର୍ଘ ୧୬ ଘଣ୍ଟା ଯାଏ ଗୋଟିଏ ମାଈ କୁକୁର ଓ ପୁରୁଷ କୁକୁର ଅଞ୍ଚଳରେ ଆତଙ୍କ ଖେଳେଇଥିବାବେଳେ ସ୍ଥାନୀୟ ଯୁବକମାନେ ମାଈ କୁକୁରକୁ ପିଟିପିଟି ମାରି ଦେଇଥିବା ଅଞ୍ଚଳବାସୀ କହିଛନ୍ତି।

ଶନିବାର ସକାଳେ ଫୁଲ ତୋଳିବାକୁ ଆସିଥିବା ସମୟରେ କୁକୁର କାମୁଡ଼ାର ଶିକାର ହୋଇଥିବା ପୀତାମ୍ବର ପରିଡା କୁହନ୍ତି, ସନ୍ଧ୍ୟାରେ ସେମାନେ ୩-୪ଜଣଙ୍କୁ କାମୁଡିବା ପରେ ଅଞ୍ଚଳବାସୀ ସତର୍କତାର ସହ ଚଳପ୍ରଚଳ କରୁଥିଲେ। କିନ୍ତୁ ସକାଳେ ମଧ୍ୟ ସେମାନେ କାମୁଡିବା ଆରମ୍ଭ କରିଦେଲେ। ଲୋକମାନେ ବିଏମ୍‌ସିକୁ କୁକୁର ଧରିବା ପାଇଁ ଜଣାଇବା ସତ୍ତ୍ୱେ ସକାଳ ଯାଏ ସ୍କ୍ବାଡ ଆସି ନ ଥିଲା। ଫଳରେ ସ୍ଥାନୀୟ କେତେଜଣ ଯୁବକ ମିଶି କରି ମାଈ କୁକୁରକୁ ବାଡେଇ ମାରି ଦେଇଥିଲେ।

ଅଞ୍ଚଳରେ କୁକୁରମାନଙ୍କର ସଂଖ୍ୟା ଦିନକୁଦିନ ବଢୁଥିବା ବେଳେ ବିଏମ୍‌ସିର କୁକୁର ଓ ଗୋରୁ ଧରିବା ସ୍କ୍ବାଡର ଦେଖାମିଳୁନି। ଦୈନିକ କେହି ନା କେହି କୁକୁର କାମୁଡା ନଚେତ୍‌ ରାସ୍ତା ଉପରେ ଦୁର୍ଘଟଣାର ଶିକାର ହେଉଛି। କିନ୍ତୁ ବିଏମ୍‌ସି ଟିମ୍‌ର ଏଥିପ୍ରତି ନିଘାନାହିଁ। ଶୁକ୍ରବାର ତାଙ୍କୁ ଖବର ଦେବା ପରେ ବି ସେମାନେ ଶନିବାର ପୂର୍ବାହ୍ନରେ ଆସି ପହଞ୍ଚତ୍ ମାତ୍ର ଗୋଟିଏ କୁକୁରକୁ କାବୁ କରିଥିଲେ। ଖାଲି କୁକୁର ବନ୍ଧ୍ୟାକରଣ କରିଦେବା ପରେ ପୁଣି ସେମାନେ ଯେଉଁଠୁ ନେଇଥିଲେ, ସେଇଠାରେ ଛାଡି ଦେଉଛନ୍ତି। ଏହାର କିଛି ସ୍ଥାୟୀ ସମାଧାନ କରିବାକୁ ଅଞ୍ଚଳବାସୀ ଦାବି କରୁଛନ୍ତି ବୋଲି ପୀତାମ୍ବର କହିଥିଲେ।
ଏ ନେଇ ବିଏମ୍‌ସି ଡେପୁଟି କମିଶନର ଶ୍ୟାମସୁନ୍ଦର ସେଠୀଙ୍କୁ ପଚାରିବାରେ ଆନିମଲ୍‌ ବାର୍ଥ କଣ୍ଟ୍ରୋଲ (ଏବିସି)ରେ ବିଏମ୍‌ସି କୁକୁରଙ୍କ ବନ୍ଧ୍ୟାକରଣ କରାଯାଉଛି। କିନ୍ତୁ ନିୟମ ଅନୁସାରେ ସେମାନଙ୍କୁ ଯେଉଁଠୁ ଅଣାଯିବ ସେଠାରେ ହିଁ ଛଡ଼ାଯିବ। ଏହାର କିଛି ସ୍ଥାୟୀ ସମାଧାନ ନାହିଁ ବୋଲି ସେ କହିଛନ୍ତି।

Share