ପୋଖରୀରୁ ଅଖାରେ ବନ୍ଧା ମୁଣ୍ଡବିହୀନ ମୃତଦେହ ଉଦ୍ଧାର, ଯୋଜନାବଦ୍ଧ ଭାବେ ହତ୍ୟା ସନ୍ଦେହ

ବାଲିଗୁଡ଼ା,୬।୩(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଖଡ଼ଗ ନଦୀସେତୁ ନିକଟ ଏକ ପୋଖରୀରୁ ଶୁକ୍ରବାର ଅଖାରେ ବନ୍ଧା ହୋଇଥିବା ଏକ ମୁଣ୍ଡବିହୀନ ମୃତଦେହ ଉଦ୍ଧାର ହୋଇଛି। ମୃତକ କିଲୁପଡ଼ା ଗ୍ରାମର ଯୁଧିଷ୍ଠିର ମଲ୍ଲିକ। ଯୁଧିଷ୍ଠିରଙ୍କ ସ୍ତ୍ରୀ ମୃତଦେହ ଚିହ୍ନଟ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି। ପୂର୍ବ ଶତ୍ରୁତାକୁ ନେଇ ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଥିବା ଏସ୍‌ଡିପିଓ ମାନସ ରଞ୍ଜନ ବାରିକ କହିଛନ୍ତି।
ଅଞ୍ଚଳର କିଛି ଲୋକ ସକାଳେ ଶୌଚ ପାଇଁ ଗାଡ଼ିଆକୁ ଯାଇଥିବା ବେଳେ ଏକ ଅଖାରେ କିଛି ବନ୍ଧାହୋଇ ଭାସୁଥିବା ଦେଖିବାକୁ ପାଇଥିଲେ। ପରେ ଏହା ଏକ ମୃତଦେହ ବୋଲି ଅନୁମାନ କରାଯାଇଥିଲା। ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଜମିଥିଲା । ଏ ନେଇ ଖବରପାଇ ବାଲିଗୁଡ଼ା ଏସ୍‌ଡିପିଓ ଓ ଥାନାଧିକାରୀ ପ୍ରଶାନ୍ତ କୁମାର ବେହେରା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍‌ ପହଞ୍ଚିବା ପରେ ପୋଖରୀରୁ ଅଖା ବାହାରକୁ ଅଣାଯାଇଥିଲା । ଅଖା କାଟିଲା ପରେ ସେଥିରୁ ହାତ ଗୋଡ ବନ୍ଧା ଏକ ମୁଣ୍ଡବିହୀନ ମୃତଦେହ ଉଦ୍ଧାର କରାଯାଇଥିଲା। ତେବେ କେହି ମୃତଦେହ ଭାସିବା ସନ୍ଦେହ କରି ଏହାକୁ ପଥରରେ ବାନ୍ଧି ପାଣିରେ ଫିଙ୍ଗିଥିବା ଦେଖାଯାଇଥିଲା।
ଅନ୍ୟପଟେ ଗତ ୨୭ ତାରିଖରୁ କ. ନୂଆଗାଁ ଥାନା ସାଇନପଡ଼ା ପଞ୍ଚାୟତ ଅନ୍ତର୍ଗତ କିଲୁପଡ଼ା ଗ୍ରାମର ଯୁଧିଷ୍ଠିର ନିଖୋଜ ଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ଯୁଧିଷ୍ଠିରଙ୍କୁ ପାଇ ନ ଥିଲେ। ଏ ନେଇ ଚଳିତ ମାସ ୩ ତାରିଖରେ ତାଙ୍କ ପରିବାର ପକ୍ଷରୁ ଲିଖିତ ଅଭିଯୋଗ କରାଯାଇଥିଲା। ଶୁକ୍ରବାର ମୃତଦେହ ଉଦ୍ଧାର ପରେ ଯୁଧିଷ୍ଠିରଙ୍କ ସ୍ତ୍ରୀ ଏହା ତାଙ୍କ ସ୍ବାମୀଙ୍କର ବୋଲି ଚିହ୍ନଟ କରିଥିଲେ।
ଏହାପରେ ବାଲିଗୁଡ଼ା ଏସ୍‌ଡିପିଓ ଓ ଆଇଆଇସିଙ୍କ ସମେତ ପୋଲିସ ଟିମ୍‌ ଉପସ୍ଥିତ ରହି ସାଇଣ୍ଟିଫିକ୍‌ ଟିମ୍‌ ଓ ସନ୍ଧାନୀ କୁକୁର ମାଧ୍ୟମରେ ଛାନ୍‌ଭିନ ଚଳାଇଛନ୍ତି।

Share