ପୋଖରୀରୁ ନିଖୋଜ ଶିଶୁର ମୃତଦେହ ଉଦ୍ଧାର

କେନ୍ଦୁଝର, ୫ା୧୧ (ସ୍ବ.ପ୍ର.)-କେନ୍ଦୁଝର ସହର ପୁରୁଣା ସହର ଖିଡିକିଦ୍ୱାର ସାହି ନିକଟ ପୋଖରୀରୁ ପୋଲିସ ଏକ ଶିଶୁର ମୃତଦେହ ମଙ୍ଗଳବାର ଉଦ୍ଧାର କରିଛି। ତାଙ୍କ ନାମ ଦିବ୍ୟଶଙ୍କର ନାଏକ (୫)। ସେ ସୋମବାର ଠାରୁ ନିଖୋଜ ଥିବା ନେଇ ଟାଉନ ପୋଲିସ ଥାନାରେ ଅଭିଯୋଗ ହୋଇଥିଲା । ତେବେ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଜିଲା ମୁଖ୍ୟ ଡାକ୍ତରଖାନା ପଠାଇଥିବା ବେଳେ ଅଧିକ ତଦନ୍ତ କରୁଛି ।

ପ୍ରକାଶ ଯେ, ସୋମବାର ପୂର୍ବାହ୍ନ ପ୍ରାୟ ୧୦ ଟାରେ ସେ ଘର ପାଖରେ ଖେଳାଖେଳି କରୁଥିବା କୁହାଯାଉଛି। ଏହା ପରେ ହଠାତ ନିଖୋଜ ହୋଇଯିବାରୁ ପରିବାର ଲୋକ ଖୋଜାଖୋଜି କରି ନ ପାଇବାରୁ ପୋଲିସକୁ ସୂଚନା ଦେଇଥିଲେ । ମଙ୍ଗଳବାର ସକାଳ ପ୍ରାୟ ୯ ଟାରେ ପାଖ ପୋଖରୀରେ ମୃତଦେହ ଭାସୁଥିବା ଦେଖି ସ୍ଥାନୀୟ ଲୋକ ପୋଲିସକୁ ସୂଚନା ଦେଇଥିଲେ । ଶିଶୁର ବେକରେ ଚିହ୍ନ ଥିବା ଜଣାପଡିଛି । ତେବେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ି ନ ଥିବାବେଳେ ପୋଲିସ ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ ସୋମନାଥ ଜେନା କହିଛନ୍ତି। ଏହି ଘଟଣାକୁ ନେଇ ଉକ୍ତ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।