ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର, କରମା ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ

ଝାରସୁଗୁଡା ଅଫିସ/ଲଖନପୁର, ୯।୧୦(ଡି.ଏନ୍‌.ଏ.)- ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଥାନା ଅଧୀନ ଖୋକେଲମାଲ ଗ୍ରାମ ପୋଖରୀରୁ ପୋଲିସ ବୁଧବାର ଏକ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି। ମୃତକ ହେଲେ ତିଲେଇମାଲ ଗ୍ରାମର ମଦନ ମୁଣ୍ଡାଙ୍କ ପୁଅ ମିଥୁନ (୩୦)। ରାମପୁର ଫାଣ୍ଡି ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏନେଇ ମୃତ ଯୁବକଙ୍କ ବାପା ମଦନଙ୍କ ଅଭିଯୋଗକୁ ଭିତ୍ତିକରି ପୋଲିସ ବ୍ରଜରାଜନଗର ଥାନାରେ ୨୬/୧୯ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

ସୂଚନାଯୋଗ୍ୟ, ମିଥୁନ ଗତ ଶନିବାର ମାମୁଘର ଖୋକେଲମାଲ ଗ୍ରାମକୁ କରମାନାଚ ଦେଖି ଆସିଥିଲେ । ସେଦିନ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମିଥୁନ ଗ୍ରାମରେ ଥିବା ତାଙ୍କ ମାଈ,ମାମୁ ଦେଖିଥିଲେ । ତାପରେ ସେ ଆଉ ରାତିରେ ମାମୁ ଘରକୁ ଫେରି ନ ଥିଲେ । ମାମୁ ଘର ଲୋକେ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ସନ୍ଧାନ ମିଳି ନ ଥିଲା। ସେହି ଦିନଠାରୁ ଯୁବକ ନିଖୋଜ ଥିଲେ। ନିଖୋଜର ୫ଦିନ ପରେ ଖୋକେଲମାଲ ଗ୍ରାମ ପୋଖରୀରେ ଏକ ମୃତଦେହ ଭାସୁଥିବା ଲୋକେ ଦେଖିବାକୁ ପାଇଥିଲେ। ଏସମ୍ପର୍କରେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ରାମପୁର ଫାଣ୍ଡି ଅଧିକାରୀ ଆର୍‌ ଏସ୍‌ ଭଇସାଲ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କଲାପରେ ମାମୁଘର ଲୋକେ ଏହା ତାଙ୍କ ଭଣଜାର ମୃତଦେହ ବୋଲି ଚିହ୍ନଟ କରିଥିଲେ ।