ପୋଖରୀରୁ ହାତଗୋଡ଼ ବନ୍ଧା ଅବସ୍ଥାରେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ପୁଅବୋହୂ ହତ୍ୟା କରିଥିବା ଅଭିଯୋଗ

ମହାକାଳପଡ଼ା,୨୭।୧୧(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା ଅଧୀନ ବଳିପାଳ ଗ୍ରାମ ପୋଖରୀରୁ ଏକ ମୃତଦେହ ବୁଧବାର ସକାଳେ ଉଦ୍ଧାର କରାଯାଇଛି। ମୃତକ ହେଲେ ଉକ୍ତ ଗ୍ରାମର ଦୟାନିଧି ପ୍ରଧାନ (୮୫)।
ସୂଚନା ଅନୁଯାୟୀ, ସକାଳେ ହାତଗୋଡ ବନ୍ଧା ଅବସ୍ଥାରେ ଦୟାନିଧିଙ୍କ ମୃତଦେହ ପୋଖରୀରେ ଭାସୁଥିବା ଦେଖି ସ୍ଥାନୀୟ ଲୋକେ କେନ୍ଦ୍ରାପଡ଼ାଠାରେ ରହୁଥିବା ତାଙ୍କ ବଡ଼ପୁଅ ଶରତଙ୍କୁ ଜଣାଇଥିଲେ। ଶରତ ପହଞ୍ଚି ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ଲାଗି ଜିଲା ମୁଖ୍ୟ ଚିକିତ୍ସାଳୟ ପଠାଇଛି। ସାନଭାଇ ରାମଚନ୍ଦ୍ର ଓ ତାଙ୍କ ସ୍ତ୍ରୀ ରଶ୍ମିତା ବାପାଙ୍କୁ ମାରି ହାତଗୋଡ ବାନ୍ଧି ପୋଖରୀରେ ଫୋପାଡି ଦେଇଥିବା ଶରତ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ କେସ୍‌ ନଂ.୧୪୪/୧୯ରେ ଏକ ମାମଲା ରୁଜୁକରି ତଦନ୍ତ ଚଳାଇଛି।