ପୋଖରୀରେ ପଶିଲା ସ୍କୁଲଭ୍ୟାନ୍‌

ଦିଗପହଣ୍ଡି, ୩୦।୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଚିକିଟି ବ୍ଲକ ନୂଆପଡ଼ା ନିକଟସ୍ଥ ପହଁରାବାଡ଼ି ନିକଟରେ ବୁଧବାର ଛାତ୍ରୀଛାତ୍ରଙ୍କୁ ନେଇ ଯାଉଥିବା ଏକ ସ୍କୁଲ ଭ୍ୟାନ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଭାରସାମ୍ୟ ହରାଇ ପୋଖରୀରେ ପଶିଯିବା କାରଣରୁ ଗାଡ଼ିରେ ଥିବା ୧୩ଜଣ ସାମାନ୍ୟ ଆହତ ହୋଇଥିବା ବେଳେ ଜଣେ ଗୁରୁତର ଥିବା ଜଣାପଡ଼ିଛି। ଆହତମାନଙ୍କୁ ଚିକିତ୍ସା ପାଇଁ ନୂଆପଡ଼ା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସେହିଭଳି ଗୁରୁତର ଥିବା ଜଣେ ୫ମ ଶ୍ରେଣୀ ଛାତ୍ରଙ୍କୁ ବ୍ରହ୍ମପୁର ସିଟି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ସୂଚନାନୁଯାୟୀ, ୨୩ଜଣ ଛାତ୍ରୀଛାତ୍ରଙ୍କୁ ନେଇ ଭ୍ୟାନ୍‌ଟି ନୂଆପଡ଼ା ମାର୍ଗଦର୍ଶୀ ଶିଶୁ ବିଦ୍ୟା ମନ୍ଦିର ଅଭିମୁଖେ ଯାଉଥିଲା। ହେଲେ ପହଁରାବାଡ଼ି ଗ୍ରାମ ପୋଖରୀ ନିକଟରେ ଭାରସାମ୍ୟ ହରାଇ ଗାଡ଼ିଟି ତଳକୁ ଖସି ଯାଇଥିଲା। ସେଠାରେ ଅମରି ବୁଦା ଥିବା ଯୋଗୁ ଛାତ୍ରୀଛାତ୍ରମାନେ ଅଳ୍ପକେ ବର୍ତ୍ତି ଯାଇଥିଲେ। ସ୍ଥାନୀୟ ଗ୍ରାମବାସୀ ଛାତ୍ରୀଛାତ୍ରମାନଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

Share