Advertisement

ପୋଖରୀରେ ବୁଡ଼ି ଏସ୍‌ପିଓ ମୃତ

ଦଶମନ୍ତପୁର,୭ା୧୧(ଡି.ଏନ୍‌.ଏ.): ଅସୁସ୍ଥ ଥିବା ଭଉଣୀଙ୍କୁ ଭେଟିବା ପାଇଁ ତାଙ୍କ ଗାଁକୁ ଯାଇଥିବା ବେଳେ ପୋଖରୀରେ ବୁଡ଼ି ଜଣେ ଏସ୍‌ପିଓଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକ ବୁର୍ଜା ପଞ୍ଚାୟତ ବନ୍ଦିଗାର ଗ୍ରାମର ଗିରିଜା ମିଣିଆକା (୩୦)।
ସୂଚନା ଅନୁଯାୟୀ, କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ମୁର୍କାର ପଞ୍ଚାୟତ ବିରିଗୁଡ଼ା ଆଦିବାସୀ ସାହିରେ ରୁହନ୍ତି ଗିରିଜାଙ୍କ ଭଉଣୀ ବୁଦ୍ରି ମାଣ୍ଡିଙ୍ଗା। ବୁଦ୍ରିଙ୍କ ଦେହ ଅସୁସ୍ଥ ଥିବାରୁ ବୁଧବାର ତାଙ୍କୁ ଦେଖିବା ପାଇଁ ଆସିଥିଲେ ଗିରିଜା। ଗୁରୁବାର ପୂର୍ବାହ୍ନ ୧୧ଟା ୩୦ରେ ୨ ଭଣଜାଙ୍କ ସହ ଗାଁ ପୋଖରୀକୁ ଯାଇଥିଲେ। ପୋଖରୀ କୂଳରେ ସେମାନଙ୍କୁ ବସାଇ ଗିରିଜା ଗାଧୋଉଥିଲେ। ତେବେ ବହୁ ସମୟ ଧରି କୂଳକୁ ନ ଆସିବାରୁ ଭଣଜାମାନେ ଚିତ୍କାର କରିବା ପରେ ସେଠାକୁ ଗାଧୋଇବାକୁ ଆସିଥିବା ଗାଁର ହରି ମାଣ୍ଡିଙ୍ଗା ଓ ଲଇଚ଼ନ ମାଣ୍ଡିଙ୍ଗା ପୋଖରୀକୁ ଡେଇଁଥିଲେ। କିନ୍ତୁ ଗିରିଜାଙ୍କୁ ଉଦ୍ଧାର କରାଯିବା ବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା। ଏନେଇ ପରିବାର ଲୋକେ ଦଶମନ୍ତପୁର ଥାନାରେ ଏତଲା ଦେଇଥିଲେ। ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁକରି ବ୍ୟବଚ୍ଛେଦ କରାଇବା ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଗିରିଜା ଏକମାତ୍ର ରୋଜଗାରିଆ ସଦସ୍ୟ ହୋଇଥିବାରୁ ତାଙ୍କ ମୃତ୍ୟୁ ପରେ ପରିବାର ଲୋକେ ଭାଙ୍ଗିପଡ଼ିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share