ପୋଖରୀରେ ବୁଡ଼ି ୪ ମାସର ହାତୀ ଛୁଆର ଜୀବନଗଲା

କୁଆଁରମୁଣ୍ଡା,୧୩।୬(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ରାଉରକେଲା ବନଖଣ୍ଡ ଅନ୍ତର୍ଗତ କୁଆଁରମୁଣ୍ଡା ବନ ରେଞ୍ଜ ଅଞ୍ଚଳର ସାନଡୋଲାକୁଦର ଜଙ୍ଗଲରେ ଥିବା ପୋଖରୀରେ ବୁଡ଼ି ଶୁକ୍ରବାର ଅପରାହ୍ନରେ ଏକ ୪ ମାସର ମାଈ ହାତୀ ଛୁଆର ମୃତ୍ୟୁ ଘଟିଛି। ଛୁଆ ହାତୀଟିକୁ କୁଆଁରମୁଣ୍ଡା ବନ ରେଞ୍ଜ କର୍ମଚାରୀ ଉଦ୍ଧାର କରିଥିଲେ। ପରେ ଖବରପାଇ ରାଉରକେଲା ବନଖଣ୍ଡ ଅଧିକାରୀ ସଞ୍ଜୟ କୁମାର ସ୍ବାଇଁ, ଏସିଏଫ ଦିଲ୍ଲୀପ କୁମାର ସାହୁ, କୁଆଁରମୁଣ୍ଡା ବନରେଞ୍ଜ ଅଧିକାରୀ ମନୋଜ କୁମାର ଟିଗ୍‌ଗା ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ନିକଟସ୍ଥ ପ୍ରାଣୀ  ଚିତ୍କିସାଳୟ ଲୁଙ୍ଗାରେ ମୃତଦେହ ବ୍ୟବଚ୍ଛେଦ କରାଇଛନ୍ତି।
ସୂଚନାଯୋଗ୍ୟ, ଗୁରୁବାର ରାତିରେ ଋତୁକପେଡ଼ି ସଂରକ୍ଷିତ ଜଙ୍ଗଲର ସାନଡୋଲାକୁଦରେ ଥିବା ବନ ବିଭାଗ ନର୍ସରୀ ନିକଟସ୍ଥ ପୋଖରୀକୁ ଏକ ୭ ଜଣିଆ ହାତୀପଲ ପାଣି ପିଇବା ପାଇଁ ଯାଇଥିଲେ। ହେଲେ କୌଣସି କାରଣରୁ ଉକ୍ତ ପଲରେ ଥିବା ଛୁଆହାତୀଟି ପୋଖରୀରୁ ବାହାରି ପାରି ନ ଥିଲା। ଏହା ଜାଣିପାରି କୁଆଁରମୁଣ୍ଡା ବନ ରେଞ୍ଜ ହାତୀ ଘଉଡାଳିମାନେ ସେଠାରେ ପହଞ୍ଚି ହାତୀପଲଙ୍କ ଗତିବିଧି ଉପରେ ସତର୍କ ନଜର ରଖିଥଲେ। ହେଲେ ଛୁଆ ହାତୀଟି ବୁଡ଼ି ଯାଇଥିବା ରାତିରେ ଜଣାପଡ଼ି ନ ଥିଲା। ମାତ୍ର ଶୁକ୍ରବାର ଅପରାହ୍ନରେ ତାର ମୃତଦେହ ପାଣିରେ ଭାସୁଥିବା ଦେଖିବାକୁ ମିଳିଥିଲା।